ମନ୍ତ୍ରୀମାନଙ୍କୁ ମିଳିଲା ଦାୟିତ୍ୱ, ନୂଆ CM ଙ୍କ ପାଖରେ ଗୃହ, ଅର୍ଥ

ଭୁବନେଶ୍ୱର,୧୬ା୬ (ଅନିଲ ଦାସ)ଓଡ଼ିଶାରେ ପ୍ରଥମ ଭାଜପା ସରକାର ଗଠନ ହେବାର ୩ ଦିନ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ରାଜ୍ୟପାଳ ରଘୁବର ଦାସଙ୍କ ଅନୁମୋଦନ ପରେ ଶନିବାର ଏ ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୋଟ ୬ଟି ବିଭାଗ ରହିଛି। ଆଗାମୀ ଦିନରେ ମନ୍ତ୍ରିମଣ୍ଡଳରେ ଆଉ କେତେଜଣ ସଦସ୍ୟଙ୍କୁ ସାମିଲ କରାଯାଇ କିଛି ବିଭାଗ ଆବଣ୍ଟନ କରାଯାଇପାରେ ବୋଲି ଜଣାପଡ଼ିଛି।

ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସହିତ ଶକ୍ତି ବିଭାଗ ଦିଆଯାଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁବିକାଶ, ମିଶନଶକ୍ତି ଓ ପର୍ଯ୍ୟଟନ ବିଭାଗ ଦାୟିତ୍ୱ ମିଳିଛି। କ୍ୟାବିନେଟ ମନ୍ତ୍ରୀମାନଙ୍କ ମଧ୍ୟରୁ ସୁରେଶ ପୂଜାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମିଳିଥିବାବେଳେ ରବିନାରାୟଣ ନାୟକଙ୍କୁ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରି ବିଭାଗ ମିଳିଛି। ସେହିପରି ପୃଥ୍ବୀରାଜ ହରିଚନ୍ଦନଙ୍କୁ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ଦାୟିତ୍ୱ ମିଳିଥିବାବେଳେ ମୁକେଶ ମହାଲିଙ୍ଗଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ବିଭୂତି ଭୂଷଣ ଜେନାଙ୍କୁ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଦାୟିତ୍ୱ ମିଳିଛି।

ସେହିପରି ରାଷ୍ଟ୍ରପାହ୍ୟା(ସ୍ବାଧୀନ) ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହିତ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ପ୍ରଦାନ କରାଯାଇଥିବାବେଳେ ସୂର୍ଯ୍ୟବଂଶୀ ସୁରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ, ପ୍ରଦୀପ ବଳସାମନ୍ତଙ୍କୁ ସମବାୟ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ଗୋକୁଳାନନ୍ଦ ମଲ୍ଲିକଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ ସୂକ୍ଷ୍ମ, ଅଣୁ ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ସମ୍ପଦ ଚରଣ ସ୍ବାଇଁଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦାୟିତ୍ୱ ମିଳିଛି।

ନୂଆ ମନ୍ତ୍ରିମଣ୍ଡଳରେ କେବଳ କନକବର୍ଦ୍ଧନ ସିଂଦେଓଙ୍କ ବ୍ୟତୀତ ଅନ୍ୟ ସମସ୍ତ ମନ୍ତ୍ରୀ ନୂଆକରି ଦାୟିତ୍ୱ ନେଇଛନ୍ତି। କନକବର୍ଦ୍ଧନ ୨୦୦୯ରେ ବିଜେଡି-ଭାଜପା ମିଳିତ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୨୨ଜଣ (ବିଧାନସଭା ସଦସ୍ୟଙ୍କ ୧୫ ପ୍ରତିଶତ) ମନ୍ତ୍ରୀ ରହିବା ବ୍ୟବସ୍ଥା ରହିଛି। ମୁଖ୍ୟମନ୍ତ୍ରୀ ଏବଂ ୨ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସଂଖ୍ୟା ୧୬ରେ ସୀମିତ ରହିଛି। ପରବର୍ତ୍ତୀ ସମୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି।

Share