Categories: ବାଣିଜ୍ୟ

ଭୁବନେଶ୍ୱରରେ ଖଣି ମନ୍ତ୍ରଣାଳୟର ରୋଡ୍‌ ଶୋ: ୨୦ କ୍ରିଟିକାଲ ଓ ଷ୍ଟ୍ରାଟେଜିକ୍‌ ଖଣିଜ ବ୍ଲକ୍‌ର ନିଲାମ

ଭୁବନେଶ୍ୱର,୯ା୨ (ଅଭୟ ଦାଶ): ଚଳିତ ବର୍ଷ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରଠାରେ ଏକ ରୋଡ୍‌ ଶୋ’ର ଆୟୋଜନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ,ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କ ଦ୍ୱାରା ୨୦୨୩ ନଭେମ୍ବରରେ ରୋଡ୍‌ ଶୋ’ ଆରମ୍ଭ ହୋଇଥିଲା। ବିଶେଷକରି କ୍ରିଟିକାଲ୍‌ ଏବଂ ଷ୍ଟ୍ରାଟେଜିକ୍‌ ମିନେରାଲ୍ସର ନିଲାମୀକୁ ସଫଳ କରିବା ପାଇଁ ଭୁବନେଶ୍ୱରଠାରେ ଏକ ରୋଡ୍‌ ଶୋ’ ନିକଟରେ ଆୟୋଜିତ ହୋଇଥିଲା। ଉକ୍ତ ଶୋ’ରେ ଆଞ୍ଚଳିକ ଆଶାୟୀ ବିଡର ଓ ଅନ୍ୟମାନେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ଖଣି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସମେତ ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର ଏବଂ ଖଣି ମନ୍ତ୍ରଣାଳୟର ନିଯୁକ୍ତ ଅଧିକାରୀ ତଥା ଯୁଗ୍ମ ସଚିବ ଡ.ବୀଣା କୁମାରୀ ଡର୍ମାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶୋ’ରେ ଆଶାୟୀ ବିଡର, ଶିଳ୍ପ ପରାମର୍ଶଦାତା ଏବଂ ଖଣିଜ ଅନୁସନ୍ଧାନ ଏଜେନ୍ସିଗୁଡ଼ିକଙ୍କ ସହ ବିସ୍ତୃତ ଆଲୋଚନା ଏବଂ ନିଲାମ ପ୍ରକ୍ରିୟା ବିଷୟରେ ସମ୍ଭାବ୍ୟ ବିଡରମାନଙ୍କୁ ମାର୍ଗଦର୍ଶନ ଦେବା ଏହି ରୋଡ୍‌ ଶୋ’ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ସେହିଭଳି ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି କ୍ରିଟିକାଲ୍‌ ଏବଂ ଷ୍ଟ୍ରାଟେଜିକ୍‌ ଖଣିଜ ବ୍ଲକ ନିଲାମ କରାଯାଉଛି। ଏଥିମଧ୍ୟରେ ୧୬ଗୋଟି କମ୍ପୋଜିଟ୍‌ ଲାଇସେନ୍ସ ସହ ୪ଗୋଟି ମାଇନିଂ ଲିଜ୍‌ ଅନ୍ତର୍ଭୁକ୍ତ ରହିଛି। ସେହିପରି ଉକ୍ତ ଖଣିଜ ପଦାର୍ଥଗୁଡ଼ିକ ମଧ୍ୟରେ ଗ୍ରାଫାଇଟ୍‌, ଗ୍ଲୁକୋନାଇଟ୍‌, ଲିଥିୟମ୍‌, ରେୟାର ଆର୍ଥ ଏଲିମେଣ୍ଟ, ମଲିବଡେନମ୍‌, ନିକେଲ୍‌, ପୋଟାସ, ପ୍ଲାଟିନମ ଗ୍ରୁପ ଏଲିମେଣ୍ଟ ଏବଂ ଫସ୍‌ଫୋରାଇଟ୍‌ ବ୍ଲକଗୁଡ଼ିକ ବିହାର, ଛତିଶଗଡ, ଗୁଜରାଟ, ଝାଡ଼ଖଣ୍ଡ, ଓଡ଼ିଶା, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଜମ୍ମୁକଶ୍ମୀର ଭଳି ରାଜ୍ୟରେ ରହିଥିବାବେଳେ ୪ଗୋଟି ବ୍ଲକ ଓଡ଼ିଶାରେ ଅବସ୍ଥିତ ରହିଛି।

ଅପରପକ୍ଷରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜାତୀୟ ନିରାପତ୍ତା କ୍ଷେତ୍ରରେ କ୍ରିଟିକାଲ୍‌ ଏବଂ ଷ୍ଟ୍ରାଟେଜିକ୍‌ ମିନେରାଲ୍ସର ଭୂମିକା ଉପରେ ନାଲ୍‌କୋର ସିଏମ୍‌ଡି ପାତ୍ର ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସେହିଭଳ ଖଣି ମନ୍ତ୍ରଣାଳୟର ନିଯୁକ୍ତ ଅଧିକାରୀ ତଥା ଯୁଗ୍ମ ସଚିବ ଡ. ବୀଣା କୁମାରୀ ଡର୍ମାଲ କହିଛନ୍ତି, ଅକ୍ଷୟ ଶକ୍ତି, ପ୍ରତିରକ୍ଷା, ବୈଷୟିକ ଶିଳ୍ପ ପ୍ରୟୋଗ ଇତ୍ୟାଦି କ୍ଷେତ୍ରରେ ବିଭିନ୍ନ ଖଣିଜ ପଦାର୍ଥର ବ୍ୟାପକ ପ୍ରୟୋଗ ରହିଛି। ଏପରିକି ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜାତୀୟ ନିରାପତ୍ତାରେ ଏଗୁଡ଼ିକ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ସେ ବିସ୍ତୃତ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଟେଣ୍ଡର ଡକ୍ୟୁମେଣ୍ଟ ବିକ୍ରିର ଶେଷ ତାରିଖ ୨୦୨୪ ଫେବୃଆରୀ ୧୩ ରହିଥିବାବେଳେ ଚଳିତ ବର୍ଷ ଫେବୃଆରୀ ୨୦ ବିଡ୍‌ ଦାଖଲ ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଏହା ପରେ ଇ-ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଅଧିକ ତଥ୍ୟ www.mstcecommerce.com/auctionhome/mlcl/index.jspରେ ଉପଲବ୍ଧ ରହିଛି।

Share