ଟୋକିଓ, ୨୫ା୨: କୋଭିଡ୍-୧୯ ମହାମାରୀ ସମୟରେ ଜାପାନରେ ଆତ୍ମହତ୍ୟା ରୋକିବାକୁ ସେଠାକାର ସରକାର କ୍ୟାବିନେଟରେ ନୂଆ ମନ୍ତ୍ରଣାଳୟ ଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ୟୋଶୀହିଦେ ସୁଗା ଏହି ମନ୍ତ୍ରଣାଳୟ ପାଇଁ ତେତ୍ସୁଶି ସାକାମୋଟୋଙ୍କୁ ମନ୍ତ୍ରୀ (ମିନିଷ୍ଟର ଫର୍ ଲୋନ୍ଲିନେସ୍) ଭାବେ ନିଯୁକ୍ତ କରିଛନ୍ତି। ସାକାମୋଟୋ ଦେଶରେ ଶିଶୁ ଜନ୍ମହାର ହ୍ରାସର ତଦନ୍ତ ସହ ଏଥିରେ ରୋକ ଲଗାଇବା ଦାୟିତ୍ୱରେ ରହିଛନ୍ତି। କୋଭିଡ୍ ସମୟରେ ଏକୁଟିଆପଣ ଯୋଗୁ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ଗତ ୧୧ ବର୍ଷରେ ସର୍ବାଧିକ ରହିଛି। ମହାମାରୀ ସମୟରେ ଲୋକମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ାଇବା ଏବଂ ଡିପ୍ରେସନରୁ ସେମାନଙ୍କୁ ବାହାର କରିବା ଦିଗରେ ଏହି ବିଭାଗ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେବ ବୋଲି ପ୍ରଧାନମନ୍ତ୍ରୀ ସୁଗା କହିଛନ୍ତି। ୨୦୧୮ରେ ବ୍ରିଟେନରେ ପ୍ରଥମ କରି ଏହି ମନ୍ତ୍ରଣାଳୟ ରଖାଯାଇଥିଲା।