ପୋଲ ଉପରୁ ନଦୀକୁ ଖସିଲା ମିନିଟ୍ରକ୍‌: ପହଁରି ଜୀବନ ବଞ୍ଚାଇଲେ ଡ୍ରାଇଭର, ହେଲପର

ମାଲକାନଗିରି,୧୫ା୮: ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମାଲକାନଗିରି ଜିଲାର ସମସ୍ତ ନଦୀର ପୋଲ ଉପରେ ୪ରୁ ୫ ଫୁଟ ଉଚ୍ଚରେ ପାଣି ପ୍ରବାହ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହି ପରସ୍ଥିତିରେ ପାଙ୍ଗାମ୍‌, କୋରୁକୋଣ୍ଡା, ତାର୍ଲାକୋଟା, କାଙ୍ଗୁରୁକୋଣ୍ଡା, ପୋଟେରୁ, ଏମ୍‌.ଭି. ୯୦, ଏମ୍‌.ଭି. ୯୬, କନ୍ୟାଶ୍ରମ ଇତ୍ୟାଦି ନଦୀର ପୋଲ ଉପରେ ବର୍ଷାପାଣି ପ୍ରବାହ ହେଉଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ କାଙ୍ଗୁରୁକୋଣ୍ଡା ପୋଲ ଆରପଟେ ଗତ ୨୪ ଘଣ୍ଟା ଧରି ଏକ ମିନି ଟ୍ରକ୍‌ ଅଟକି ରହିଥିଲା। ତେବେ କଳେବଳେ କୌଶଳେ ଶନିବାର ସକାଳୁ କାଙ୍ଗୁରୁକୋଣ୍ଡା ପୋଲ ଉପରୁ ଗାଡ଼ିକୁ ନେବା ପାଇଁ ଚାଳକ ଚେଷ୍ଟା କରୁଥିବା ସମୟରେ ଉକ୍ତ ଟ୍ରକ୍‌ଟି ନଦୀ ମଧ୍ୟକୁ ଖସିପଡ଼ିଥିଲା। ତେବେ ଟ୍ରକ୍‌ରେ ଥିବା ଡ୍ରାଇଭର ଓ ହେଲପର୍‌ ନଦୀରେ ପହଁରି ପହଁରି କୂଳକୁ ଆସିଥିଲେ। ଏହି ଦୃଶ୍ୟ ଗ୍ରାମବାସୀ ଦେଖି ଏହି ଦୁଇ ବ୍ୟକ୍ତିଙ୍କୁ ଗାଁ ନିକଟରେ ଥିବା ମନ୍ଦିରରେ ବିଶ୍ରାମ ନେବାକୁ କହିଥିଲେ। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ଓ ପ୍ରଶାସନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।