Categories: ଖେଳ

ମିନ୍ନୁଙ୍କୁ ମିଳିଲା ତ୍ୟାଗର ଫଳ

କୋଚି,୧୫।୨: କେରଳର ଏକ ଆଦିବାସୀ ଅଧ୍ୟୁଷିତ ଇଲାକାରୁ ଆସିଥିବା ମିନ୍ନୁ ମଣିଙ୍କ ସ୍ବପ୍ନ ପୂରଣ କରିଛି ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)। ୧୦ ବର୍ଷ ତଳେ ଓ୍ବାୟାନାଡ ଜିଲାର ମନନ୍ଥାବାଡିର ପାର୍ବତ୍ୟାଞ୍ଚଳରୁ ଆସିଥିବା ଏହି ଖେଳାଳି ଜଣଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। ୧୦ ବର୍ଷ ତଳେ କ୍ରିକେଟକୁ ନିଶା ଓ ପେସା ଭାବରେ ବାଛିଥିଲେ ମିନ୍ନୁ। ଏଥିପାଇଁ ଅନେକ କିଛି ତ୍ୟାଗ ମଧ୍ୟ କରିଛନ୍ତି। ଏହି ତ୍ୟାଗର ଫଳ ଡବ୍ଲ୍ୟୁପିଏଲ୍‌ ନିଲାମିରେ ଦେଖିବାକୁ ମିଳିଥିଲା। ୨୩ ବର୍ଷୀୟ ମିନ୍ନୁଙ୍କ ବେସ୍‌ ପ୍ରାଇସ୍‌ ୧୦ ଲକ୍ଷ ଟଙ୍କା ରହିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା। ହାଇଦ୍ରାବାଦରେ ସାଉଥ୍‌ ଜୋନ୍‌ର ଆନ୍ତଃଜୋନାଲ ଖେଳୁଥିବା ମିନ୍ନୁ କହିଛନ୍ତି ମୋ ଜୀବନରେ ମୁଁ ୩୦ ଲକ୍ଷ ଟଙ୍କା କେବେ ବି ଦେଖି ନାହିଁ। ମୋ ପରିଶ୍ରମ ସଫଳ ହୋଇଥିବାରୁ ମୋ ଖୁସି ବ୍ୟକ୍ତ କରିବାରେ ମୁଁ ଅସମର୍ଥ ବୋଲି ସେ କହିଛନ୍ତି। ଚୋଇମୁଲା ଗ୍ରାମର କୁରିଚିୟା ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ମିନ୍ନୁଙ୍କ ପିତା ମଣି ସି.କେ. ଜଣେ ଦିନମଜୁରିଆ ଓ ମା’ ଜଣେ ଗୃହିଣୀ। ୧୦ ବର୍ଷ ବୟସରେ ନିଜ ସମ୍ପର୍କୀୟ ଭାଇମାନଙ୍କ ସହିତ ଧାନ କ୍ଷେତରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ମିନ୍ନୁ। ତେବେ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ପିଇଟି ଶିକ୍ଷୟିତ୍ରୀ ଏଲେସମ୍ମା ବେବି ତାଙ୍କୁ ୧୩ ବର୍ଷରୁ କମ୍‌ ବାଳିକା ଦଳର ଟ୍ରାଏଲ୍ସକୁ ନେଇଥିଲେ। ପ୍ରଥମରୁ ଦିନମଜୁରିଆ ପିତା କ୍ରିକେଟ ଖେଳକୁ ବିରୋଧ କରୁଥିଲେ। ମାତ୍ର ମିନ୍ନୁ ଜୁନିୟର କ୍ୟାମ୍ପ ପାଇଁ ମନୋନୀତ ହେବା ପରେ ପରିବାରରେ ବିରୋଧାଭାସ ଶେଷହୋଇ ଯାଇଥିଲା। କ୍ୟାମ୍ପକୁ ମନୋନୀତ ହେବା ପରେ ମିନ୍ନୁଙ୍କ ସଂଘର୍ଷ ଆହୁରି ବଢିଯାଇଥିଲା। କିଶାନଗିରିରେ ଥିବା କ୍ୟାମ୍ପ ଘରଠାରୁ ୨ଘଣ୍ଟାର ରାସ୍ତାଥିଲା। ଏପରିକି ଯିବା ପାଇଁ ଏକାଧିକ ବସ୍‌ ବଦଳାଇବାକୁ ମଧ୍ୟ ପଡିଥାଏ। ଭୋର ୪ଟାରୁ ସେ ଉଠିବା ସହିତ ସକାଳ ୯ଟା ସୁଦ୍ଧା ଅଭ୍ୟାସ ପାଇଁ ପହଞ୍ଚିଥାନ୍ତି। ଅପରାହ୍ନ ୫ଟା ସୁଦ୍ଧା ଅଭ୍ୟାସ ଶେଷ କରିବା ପରେ ସନ୍ଧ୍ୟା ୭ଟାରେ ସେ ଘରେ ପହଞ୍ଚିଥାନ୍ତି। ଏପରିକି ଖେଳିବା ପାଇଁ ପଇସା ନ ଥିବାରୁ ପିତା ପଇସା ଉଧାର କରି ତାଙ୍କ ଖେଳକୁ ସମର୍ଥନ ଦେଇଥିଲେ ବୋଲି କହିଛନ୍ତି ମିନ୍ନୁ। ଖେଳରୁ ଅର୍ଥ ଉପାର୍ଜନ ଆରମ୍ଭ କରିବା ପରେ ସେ ଉଧାର ଶୁଝିବା ସହିତ ନିଜ ପାଇଁ ଏକ ଘର ନିର୍ମାଣ କରିଥିଲେ। ବନ୍ୟାରେ ଘରଟି ଅଧା ନଷ୍ଟ ହୋଇଥିଲେ ମଧ୍ୟ ସେ ପୁନର୍ବାର ଏହାର ନିର୍ମାଣ କରିବାରେ ସମର୍ଥ ହୋଇଥିବା କହିଛନ୍ତି। ମିନ୍ନୁ କେରଳ ମହିଳା ଦଳ ବ୍ୟତୀତ ଭାରତ ଏ’ ଓ ଭାରତ ବି’ ପାଇଁ ମଧ୍ୟ ଖେଳିଛନ୍ତି। ଜଣେ ଡାହାଣହାତୀ ଅଫ୍‌ ବ୍ରେକ୍‌ ବୋଲର ଓ ବାମହାତୀ ବ୍ୟାଟର ଭାବରେ ସେ ଜଣାଶୁଣା। ନିକଟରେ ମହିଳା ଦିନିକିଆ ଟ୍ରଫିରେ ସେ ୨୪୬ ରନ୍‌ କରିବା ସହିତ ୧୨ ଉଇକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସରେ ମେଗ୍‌ ଲାନିଙ୍ଗ, ଶେଫାଳି ବର୍ମା, ଜେମିମା ରୋଡ୍ରିଗୁଏଜଙ୍କ ପରି ଖେଳାଳି ରହିଥିବା ବେଳେ ଭଲ ପ୍ରଦର୍ଶନ ଭାରତୀୟ ଦଳ ପାଇଁ ରାସ୍ତା ଖୋଲିବ ବୋଲି ମିନ୍ନୁ ଆଶା କରିଛନ୍ତି। ଆଇପିଏଲ୍‌ କଣ୍ଟ୍ରାକ୍ଟ ମିଳିବା ପରେ ଅନ୍ୟ ଖେଳାଳିମାନେ ଘର ଓ ଦାମୀ ଗାଡି କିଣିବାର ସ୍ବପ୍ନ ଦେଖୁଥିବା ବେଳେ ମିନ୍ନୁ କିନ୍ତୁ ଏକ ସ୍କୁଟର କିଣିବାକୁ ଇଚ୍ଛା କରିଛନ୍ତି। ଅଭ୍ୟାସ ପାଇଁ ଯିବାକୁ ୪ଟି ବସ୍‌ ପରିବର୍ତ୍ତନ କରିବାକୁ ପଡୁଛି, ସ୍କୁଟର କିଣିବା ଦ୍ୱାରା ଅନେକ ସମୟ ବଞ୍ଚିବ ବୋଲି ସେ କହିଛନ୍ତି।

Share