ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶରେ ଜଣେ ୧୫ ବର୍ଷର ବାଳକ କ୍ଷେତରେ କାମ କରୁଥିବାବେଳେ ହାର୍ଭେଷ୍ଟରରେ ଫସିଯାଇ ପ୍ରାଣ ହରାଇଥିଲେ। ତଙ୍କର ଶରୀର ୧୭ ଖଣ୍ଡ ହୋଇଥିବାବେଳେ ଅପରାଧ ଲୁଚାଇବା ପାଇଁ ବିଭିନ୍ନ ସ୍ଥାନରେ ପୋତିଦିଆଯାଇଛି। ଏହି ଘଟଣାରେ ସଞ୍ଜୟ ବର୍ମା (୨୪) ଏବଂ ଲବକୁଶ (୧୮)ଙ୍କୁ ଗିରଫ କରାଯାଇଛି। ବାହାରିଚ୍ର ଗାୟତ୍ରୀ ନଗରରେ ରହୁଥିବା ବିକ୍ରମ ନାମକ ଉକ୍ତ ବାଳକ ୧୦ ଦିନ ହେଲା ନିଖୋଜ ଥିଲେ। ବାହାରିଚ୍ ଏସ୍ପିଙ୍କ କହିବା ଅନୁଯାୟୀ, ଗତ ୬ ତାରିଖରେ ବିକ୍ରମ କ୍ଷେତରେ ସଞ୍ଜୟ ବର୍ମାକୁ ସହାୟତା କରୁଥିଲେ। ଟ୍ରାକ୍ଟର ଅପରେଟିଂ ବେଳେ ବିକ୍ରମ ଖସିପଡ଼ି ହାର୍ଭେଷ୍ଟର ଭିତରେ ରହିଯାଇଥିଲେ। ଆହତ ବିକ୍ରମକୁ ସାହାଯ୍ୟ କରିବା ବଦଳରେ ଅଭିଯକ୍ତ ତାଙ୍କୁ ଖଣ୍ଡଖଣ୍ଡ କରିଦେବା ପାଇଁ ହାର୍ଭେଷ୍ଟରରେ ଘୋଷାଡ଼ିଥିଲେ। ପ୍ରମାଣ ନଷ୍ଟ ପାଇଁ ସେହି ଖଣ୍ଡଗୁଡ଼ିକୁ ସଞ୍ଜୟ ଜମିରେ ବିଭିନ୍ନ ସ୍ଥାନରେ ପୋତିଦେବା ସହ ତାଙ୍କ ପୋଷାକ ଓ ଜୋତାକୁ ପାଖରେ ଥିବା ଏକ ପୋଖରୀରେ ଫିଙ୍ଗିଦେଇଥିଲେ। ଗତ ୧୫ ତାରିଖରେ ବିକ୍ରମଙ୍କ ପୋଷାକ ଓ ଜୋତା ମିଳିବା ପରେ ନିଖୋଜ ମାମଲା ନୂଆ ମୋଡ଼ ନେଇଥିଲା। ପୋଲିସ ସଞ୍ଜୟ ଏବଂ ଲବକୁଶଙ୍କୁ ଗିରଫ କରି ପଚରାଉଚରା କରିବାରୁ ସେମାନେ ଅପରାଧ ସ୍ବୀକାର କରିଥିଲେ। ପୋଲିସ ଦିନସାରା ଜମିକୁ ଖୋଳି ୧୭ ଖଣ୍ଡ ମୃତଦେହ ବାହାର କରିଛି। ପରିଚୟ ସ୍ପଷ୍ଟହେବା ପାଇଁ ଡିଏନ୍ଏ ପରୀକ୍ଷା ନିମନ୍ତେ ପଠାଯିବା ସହ ବ୍ୟବଚ୍ଛେଦ ଚାଲିଛି।