ଅଜାଙ୍କ ଘରେ ନାତୁଣୀର ଆତ୍ମହତ୍ୟା

ଲଙ୍ଗଳେଶ୍ୱର,୧୮।୧୦(ଡି.ଏନ.ଏ.): ମା’ଙ୍କ ସହ ଅଜା ଘରେ ରହୁଥିବା ଜଣେ ନାବାଳିକାଙ୍କ ଆତ୍ମହତ୍ୟା କରିଛନ୍ତି। ହେଲେ ନାବାଳିକାଙ୍କ ଆତ୍ମହତ୍ୟାକୁ ବାପ ଘର ଲୋକେ ଗ୍ରହଣ ନ କରି ହତ୍ୟା ଅଭିଯୋଗ ଆଣିଛନ୍ତି। ବାଲେଶ୍ୱର ଜିଲା ବସ୍ତା ଥାନା ଅର୍ନ୍ତଗତ ରେଣୁପଦା ଗ୍ରାମରେ ଏହି ଘଟଣା ଘଟିଛି।

ପୋଲିସ ସୂଚନା ଅନୁଯାୟୀ, ବାଲିଆପାଳ ଥାନା ବାଲିକୁଟି ଗ୍ରାମର କାର୍ତ୍ତିକ ପଟ୍ଟାୟତଙ୍କ ସ୍ତ୍ରୀ ପୁଷ୍ପଲତା ଏବଂ ଦୁଇ ଝିଅ ୪ ବର୍ଷ ହେଲା ବସ୍ତା ଥାନା ରେଣୁପଦା ଗ୍ରାମ ସ୍ଥିତ ବାପ ଘରେ ରହି ଆସୁଛନ୍ତି। ସୋମବାର ସକାଳେ ପୁଷ୍ପଲତାଙ୍କ ଝିଅ ପୂଜାରାଣୀ (୧୫) ଘରେ କେହି ନ ଥିବା ବେଳେ କୌଣସି କାରଣରୁ ବେକରେ ଓଢ଼ଣୀ ଲଗାଇ ଓହଳି ପଡିଥିଲେ। ଅଜା ରାମଚନ୍ଦ୍ର ମାଝି ପୂଜାରାଣୀଙ୍କୁ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୂଜାରାଣୀଙ୍କୁ ଅଜାଘର ଲୋକେ ହତ୍ୟା କରିଥିବା ନେଇ ବାଲିକୁଟି ଗ୍ରାମର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି କଥାକୁ ନେଇ ଉଭୟ ପରିବାର ମଧ୍ୟରେ ବସ୍ତା ଡାକ୍ତରଖାନା ପରିସରରେ ପାଟିତୁଣ୍ଡ ହୋଇଥିଲା। ଖବରପାଇ ବସ୍ତା ଥାନା ଅଧିକାରୀ ସୁବ୍ରତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ଉଭୟ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।

Share