ଇବ ନଦୀରେ ବୁଡି ନାବାଳକଙ୍କ ସଲିଳ ସମାଧି

ଝାରସୁଗୁଡା ଅଫିସ, ୨୨।୫: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇବ୍‌ ନଦୀର ଓପିଏମ ଘାଟରେ ଜଣେ ନାବାଳକ ବୁଡ଼ି ସଲିଳ ସମାଧି ଘଟିଛି। ମୃତ ନାବାଳକ ଜଣକ ହେଲେ ସ୍ଥାନୀୟ ଲମଟିବାହାଲର ୧୫ ବର୍ଷୀୟ ରିଣ୍ଟୁ ପୋଇରା। ଏନେଇ ବ୍ରଜରାଜନଗର ପୋଲିସ ଥାନାରେ ଏକ ଅପମୃତ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଶନିବାର ସକାଳେ ୩ ଜଣ ସାଙ୍ଗ ଘରୁ ମର୍ଣ୍ଣିଂ ୱାକ ଆସି ଇବ୍‌ ନଦୀରେ ଗାଧୋଉଥିଲେ। ଏହି ସମୟରେ ସେମାନଙ୍କ ଭିତରୁ ଜଣେ ସାଙ୍ଗ ପାଣିରେ ବୁଡ଼ିି ଯାଇଥିଲେ। ଏନେଇ ସ୍ଥାନୀୟଲୋକେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଜଣାଇଥିଲେ। ଖବରପାଇ ଘଟଣାସ୍ଥଳରେ ଝାରସୁଗୁଡା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ପାଣି ଭିତରୁ ନାବାଳକଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ନାବାଳକଙ୍କୁ ଏମ୍‌ସିଏଲ ସେଣ୍ଟ୍ରାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ବ୍ରଜରାଜନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।