ପ୍ରେମ କରି ଫେରାର ହେଲେ ପ୍ରେମିକ: ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ନାବାଳିକା

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ପ୍ରତାରଣା କରାଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ପ୍ରେମିକ ଫେରାର ଥିବା ବେଳେ ବର୍ତ୍ତମାନ ନାବାଳିକା ଜଣକ ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମଦେଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ନାବାଳିକା ଗର୍ଭବତୀ ଥିବା ଜାଣି ପରିବାର ଲୋକେ ତାଙ୍କୁ ଗାଳିଗୁଲଜ କରିଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଜଣକ ତାଙ୍କ ମାଉସୀ ପାଖରେ ରହୁଥିଲେ। ହେଲେ ସେହିଦିନଠାରୁ ପ୍ରେମିକ ଫେରାର ହୋଇଯାଇଛନ୍ତି। ବୁଧବାର ନାବାଳିକାଙ୍କ ଅତ୍ୟଧିକ ଯନ୍ତ୍ରଣା ହେବାରୁ ମାଉସୀ ପ୍ରଥମେ ସ୍ଥାନୀୟ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଏକ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ନାବାଳିକା ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ। ଶିଶୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ସେମାନଙ୍କୁ ଏସ୍‌ଏନ୍‌ସିୟୁରେ ରଖାଯାଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ ଅଭିଯୋଗକୁ ଭିତ୍ତିକରି କେନ୍ଦୁଝର ଟାଉନ ଥାନା ପୋଲିସ ଏକ ମାମଲା( ନଂ.୪୪୫/୨୦୨୩) ରୁଜୁ କରି ତଦନ୍ତ ଚଳାଇଛି। ଥାନା ଅଧିକାରୀ ସୁନୀଲ କୁମାର କର ମାମଲାର ତଦନ୍ତ କରୁଛନ୍ତି। ଅନ୍ୟପକ୍ଷେ ନାବାଳିକା ସୁସ୍ଥ ଥିବା ଜଣାପଡିଛି।

Share