ନାବାଳିକା ଅପହରଣ, ପ୍ରେମ ପ୍ରତାରଣା ଅଭିଯୋଗ, ଯୁବକ ଗିରଫ

କୋକସରା,୧୭।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ପୋଲିସ ଶନିବାର ଜଣେ ନାବାଳିକାଙ୍କୁ ଗତ ୨ ମାସ ତଳେ ଅପହରଣ ଓ ପ୍ରେମ ପ୍ରତାରଣା ଅଭିଯୋଗରେ କୋକସରା ପଞ୍ଚାୟତ ନୂଆପଡା ଗ୍ରାମର ନିତ୍ୟାନନ୍ଦ ପାଣିଗ୍ରାହୀ(୧୯)ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସୂଚନାନୁସାରେ, କୋକସରା ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକାକୁ ନୂଆପଡା ଗ୍ରାମର ଜଣେ ଯୁବକ ନିତ୍ୟାନନ୍ଦ ପାଣିଗ୍ରାହୀ ବିବାହର ମିଛ ପ୍ରତିଶ୍ରୁତି ଦେଇ ଗତ ୨ ମାସ ତଳେ ହାଇଦ୍ରାବାଦର ଗାନ୍ଧୀପୁରମରେ ନେଇ ରଖିଥିଲେ। ଏନେଇ ନାବାଲିକାଙ୍କ ପରିବାର ପକ୍ଷରୁ ଗତ ଏପ୍ରିଲ ୮ରେ କୋକସରା ଥାନାରେ ନାବାଳିକା ନିଖୋଜ ଥିବା ଅଭିଯୋଗ କରିଥିଲେ। ତେବେ ଗତ ଶୁକ୍ରବାର ନାବାଳିକାକୁ ଯୁବକ ନିଜ ସମ୍ପର୍କୀୟଙ୍କ ଘରେ କୋକସରା ବ୍ଲକ ବାବେକୋହରା ଗାଁରେ ଆଣି ରଖିଥିବା ନେଇ କୋକସରା ପୋଲିସ କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସ ନାବାଳିକାକୁ ବାବେକୋହରାରୁ ଉଦ୍ଧାର କରିଥିଲା । ଯୁବକ ଫେରାର ବେଳେ ପୋଲିସ କାଉଡୋଳା ବସଷ୍ଟାଣ୍ଡରୁ ଗିରଫ କରିଥିଲା। ଶନିବାର ନାବାଳିକାକୁ ଅପହରଣ ଓ ପ୍ରେମ ପ୍ରତାରଣା ଅଭିଯୋଗରେ କୋକସରା ଥାନା କେସ ନମ୍ବର ୧୦୯/୨୩ରେ ପୋସ୍କୋ ଧାରା ଅନୁସାରେ କୋର୍ଟ ଚାଲାଣ କରିଥିବା ନେଇ ତଦନ୍ତକାରୀ ପୋଲିସ ଏସ୍‌ଆଇ ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି।