କଟକରେ ନାବାଳିକାଙ୍କୁ ଟେକିନେଇ ଗଣବଳାତ୍କାର, ଏସସିବି ହସ୍ପିଟାଲରେ ଭର୍ତ୍ତି

କଟକ,୧୬।୨: ସରସ୍ବତୀ ପୂଜାରେ ଅଭାବନୀୟ ଘଟଣା। ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଟେକିନେଇ ଗଣଦୁଷ୍କର୍ମ କରିଥିବା ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି। ମଧୁପାଟଣା ଥାନାରେ ଏ ସଂକ୍ରାନ୍ତରେ ପୀଡ଼ିତା ବୟାନ ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ବାଲିସାହି ଅଞ୍ଚଳରେ ରହୁଥିବା ଜଣେ ନାବାଳିକା ସରସ୍ବତୀ ପୂଜା ଦିନ ସକାଳ ପ୍ରାୟ ୧୦ଟା ବେଳେ ଘରୁ ୧୦ ଟଙ୍କା ନେଇ ଜଳଖିଆ ଖାଇବାକୁ ଯାଇଥିଲେ। ଏହି ସମୟରେ ପଡ଼ୋଶୀ ଆଉ ଜଣେ ନାବାଳିକା(ସାଙ୍ଗ) ତାଙ୍କୁ ପୋପରଡ଼ା ବଜାରକୁ ଚୁଡ଼ି କିଣିବାକୁ ନେଇଯାଇଥିଲେ। ଉଭୟ ସାଇକେଲରେ ଯାଇଥିଲେ। ପୋପରଡ଼ା କଲୋନି ରାସ୍ତାରେ ଏହି ବାଲିସାହିର ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ଟେକିନେଇ ଗଣଦୁଷ୍କର୍ମ କରିଥିଲେ। ପ୍ରଚୁର ରକ୍ତସ୍ରାବ ହେବାରୁ ନାବାଳିକାଙ୍କୁ ମଧୁପାଟଣା ଥାନା ପୁଲିସ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି।

ପୀଡ଼ିତା ନାବାଳିକା ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ପରିବାର ଲୋକେ ଏହି ଘଟଣା ମଧୁପାଟଣା ଥାନାରେ ଫେରାଦ ହୋଇଛନ୍ତି। ଜିଲ୍ଲା ଆଇନସେବା ପ୍ରାଧୀକରଣର ପାରାଲିଗାଲ୍ ସ୍ବେଚ୍ଛାସେବୀ ବିଭୂତି କୁମାର ରାୟ ମଧ୍ୟ ପୀଡ଼ିତା ପରିବାରଙ୍କ ସହିତ ଫେରାଦ ହୋଇ ଅବଗତ କରିଛନ୍ତି। ପୁଲିସ ଦଫା ୩୭୬, ପୋସକୋ, ୩୪ରେ ମାମଲା(କେସ୍ ନଂ ୫୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏସିପି ସ୍ବସ୍ତିକ ପଣ୍ଡାଙ୍କ କହିବା ଅନୁଯାୟୀ, ନାବାଳିକା ଜଣକ ଗଣଦୁଷ୍କର୍ମ ଅଭିଯୋଗ ଆଣିବା ପରେ ପୁଲିସ ଏକ ମାମଲା ରୁଜୁ କରି ସେହି ଆଧାରରେ ଘଟଣାର ତଦନ୍ତ ଚଳାଇଛି।

Share