ଲକ୍ଷ୍ନୌ,୨୬।୧୦: ଜଣେ ନାବାଳିକାକୁ ନିଜ ଘରେ ଜୀବନ୍ତ ଜାଳି ହତ୍ୟା କରିବାର ମାମଲା ସାମ୍ନାକୁ ଆସିଛି। ପୀଡିତାଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ପାଞ୍ଚ ଜଣ ପରିଚିତ ଏବଂ ତିନି ଜଣ ଅଜ୍ଞାତ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୁରୁବାର ସକାଳେ ଘଟଣାସ୍ଥଳରେ ପହଞ୍ଚିଥିବା ଫରେନସିକ ଟିମ ଅନୁସନ୍ଧାନ କରି ପ୍ରମାଣ ଖୋଜୁଥିବା ଦେଖିବାକୁ ମିଳିଥିଲା। ବୁଧବାର ଏହି ଘଟଣା ଘଟିଥିବା କୁହାଯାଉଛି।
କସବା ବାସିନ୍ଦା ଜିତେନ୍ଦ୍ର କୁମାର ଶୁକ୍ଲା ବୁଧବାର ସନ୍ଧ୍ୟା ୬ଟାରେ ତାଙ୍କ ଘର ପାଖରେ ଥିବା ବରୋଦା ୟୁପି ବ୍ୟାଙ୍କକୁ ଯାଇଥିଲେ। ଏହି ସମୟରେ ତାଙ୍କ ପୁତୁରା ରଜତ କୁମାର ବ୍ୟାଙ୍କରେ ପହଞ୍ଚି ଘରେ ନିଆଁ ଲାଗିଥିବା ସୂଚନା ଦେଇଥିଲେ। ଯେତେବେଳେ ସେ ଘରର ଛାତକୁ ଗଲେ, ଦେଖିଲେ ଯେ ତାଙ୍କର ୧୬ ବର୍ଷର ଝିଅ ଶିବି ନିଆଁରେ ଜଳୁଛନ୍ତି।
ପୀଡିତାଙ୍କ ପିତାଙ୍କ କହିବାନୁସାରେ, ଛାତରୁ ଡେଇଁ ପଡି ଦକ୍ଷିଣ ଗାଁ ସ୍ଥିତ ପୁରେ ଲୋହାଙ୍ଗି ବାସିନ୍ଦା ଫୌଜାନ ଏବଂ ଗୁଫ୍ରାନ, କସବା ବସିନ୍ଦା ପ୍ରିନ୍ସ ପାଲ ଏବଂ ଜାଭେଦ ଅହମ୍ମଦ ଓ କଟରା ବାସିନ୍ଦା ରାମ ବାହାଦୂର ଯାଦବ ତଥା ୩ ଜଣ ଅଜ୍ଞାତ ଯୁବକ ଛାତରୁ ଦୌଡ଼ି ପଳାଉଥିବାର ଦେଖିଥିଲେ। କୌଣସି ପ୍ରକାରେ ନିଆଁ ଲିଭାଇ ଝିଅକୁ ଚିକିତ୍ସା ପାଇଁ ସିଏଚସିକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।