Categories: ଜାତୀୟ

ନାବାଳିକାଙ୍କୁ ବଳାତ୍କାର କଲେ ୧୪ ଜଣ

ପୁଣେ,୮।୯: ୧୪ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ପୁଣେ ରେଲଓ୍ବେ ଷ୍ଟେଶନ ନିକଟରେ ବିଭିନ୍ନ ସ୍ଥାନରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି। ଏହି ଅପରାଧରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୂର୍ବରୁ ସୋମବାର ଏହି ଗଣବଳାତ୍କାର ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଥିଲା। ୧୪ ଜଣଙ୍କୁ ଆଇପିସି ଦଫା ୩୪ (ସାଧାରଣ ଉଦ୍ଦେଶ୍ୟ), ୩୬୩ (ଅପହରଣ), ୩୭୬ ଡି’ ଏ (୧୬ ବର୍ଷରୁ କମ୍‌ ଯୁବତୀଙ୍କୁ ଗଣବଳାତ୍କାର), ୩୭୭ (ଅପ୍ରାକୃତିକ ଯୌନ ସମ୍ପର୍କ) ସହ ପୋକ୍ସୋ ଆଇନରେ ମାମଲା ରୁଜୁ କରାଯାଇଛି।

ଅଭିଯୁକ୍ତଙ୍କ ମଧ୍ୟରେ ପୁଣେ ରେଲଓ୍ବେ ଷ୍ଟେଶନର ଚତୁର୍ଥ ଶ୍ରେଣୀର ଦୁଇ କର୍ମଚାରୀ ରହିଛନ୍ତି। ଅନ୍ୟ ୬ ଜଣ ଅଟୋ ରିକ୍‌ସା ଚାଳକ। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୀଡ଼ିତାଙ୍କ ପରିଚିତ ଥିଲେ। ନାବାଳିକାଙ୍କୁ ୧୪ ଜଣ ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ବଳାତ୍କାର କରିବା ପରେ ଚଣ୍ଡିଗଡ଼ରେ ଛାଡ଼ି ଦେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଦୁଇ ରେଲଓ୍ବେ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଗଣବଳାତ୍କାର ପୀଡ଼ିତା ଜଣେ ୭ମ ଶ୍ରେଣୀର ଛାତ୍ରୀ। ଅଗଷ୍ଟ ୩୧ ତାରିଖ ରାତିରେ ଏକ ସାଙ୍ଗକୁ ଦେଖା କରିବା ପାଇଁ ସେ ପୁଣେ ରେଲଓ୍ବେ ଷ୍ଟେଶନ ଯାଇଥିଲେ। ତେବେ ସେ ରାତି ସାଢ଼େ ୧୦ଟାରେ ଷ୍ଟେଶନରେ କେମିତି ପହଞ୍ଚିଲେ, ତାହା ଜଣାପଡ଼ିନାହିଁ। ସେଠାରୁ ଘରକୁ ଯିବା ପାଇଁ ଅଟୋ ନେଇଥିଲେ। ହେଲେ ଚାଳକ ପୀଡ଼ିତାଙ୍କୁ ଧମକ ଦେଇ ପ୍ରଥମେ ଲଜରେ ବଳାତ୍କାର କରିଥିଲେ। ଅଟୋ ଚାଳକଙ୍କ ଅନ୍ୟ ସହଯୋଗୀମାନେ ନାବାଳିକାଙ୍କୁ ଅଟୋ ଓ ଇଣ୍ଡିଆନ ରେଲଓ୍ବେ କାର୍ଯ୍ୟାଳୟ ପରିସରରେ ବଳାତ୍କାର କରିଥିଲେ। ତା’ ପରେ ପୀଡ଼ିତାଙ୍କୁ ବସାଇଥିଲେ ପୁଣେ-ଜମ୍ମୁ ତାଓ୍ବି ଝେଲମ ଏକ୍ସପ୍ରେସରେ। ସେପ୍ଟେମ୍ବର ୧ ତାରିଖରେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ବାପା-ମା’। ପୋଲିସ ତଦନ୍ତ ପରେ ରେଲଓ୍ବେ ପୋଲିସ ଥାନା ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଫଳରେ ୪ ତାରିଖରେ ପୁଣେ ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା ଚଣ୍ଡିଗଡ଼ ଷ୍ଟେଶନରୁ।

Share