
ଦିଗପହଣ୍ଡି,୧୦ା୪(ଅଶେଷ ନାଥ ମିଶ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗ୍ରାମର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଘରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଏକ ସରକାରୀ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ବିଭାଗରେ ପାଠ ପଢିବା ସହ ପ୍ରତିଦିନ ଘରୁ କଲେଜକୁ ଯା ଆସ କରୁଥିଲେ। ଛାତ୍ରୀଙ୍କ ମା ବାପା ଦିନ ମଜୁରିଆ କାମ ପାଇଁ ବ୍ରହ୍ମପୁର ଯା ଆସ କରନ୍ତି। ଗତ ସୋମବାର ମା ବାପା କାମ ପାଇଁ ବ୍ରହ୍ମପୁର ଯାଇଥିଲେ। ଛାତ୍ରୀ ଜଣକ ଘରେ ଏକୁଟିଆ ଥିଲେ। ମା’ ବାପା ସନ୍ଧ୍ୟାରେ ଘରକୁ ଫେରିବା ପରେ ଝିଅ ଘରେ ନଥିବା ଜାଣିବାକୁ ପାଇଥିଲେ। ପରିବାର ଲୋକେ ବିଭିନ୍ନ ଅଞ୍ଚଳକୁ ଯାଇ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିପାରି ନଥିଲା। ଶେଷରେ ଛାତ୍ରୀଙ୍କ ବାପା ତାଙ୍କ ଝିଅକୁ କୌଣସି ଦୁର୍ବୃତ୍ତ ଅପହରଣ କରିଥିବା ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୧୩୩/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରାଯାଇଛି। ଘର ଆଲମିରାରେ ବ୍ୟାଙ୍କ ଜମାଖାତା, ୧୫ ହଜାର ଟଙ୍କା ଏବଂ ଝିଅର ସମସ୍ତ ସାର୍ଟିଫିକେଟ ନଥିବା ଏତଲାରେ ଉଲ୍ଲେଖ ରହିଛି। ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ଅପହୃତା ଛାତ୍ରୀ କିମ୍ବା ଅପହର୍ତ୍ତା ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୁରାକ ମିଳିନାହିଁ।