ନିର୍ଯାତିତା ନାବାଳିକା ଆତ୍ମହତ୍ୟା ମାମଲା : ଜଙ୍ଗଲରୁ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ଅଫିସ,୩୧।୭-ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳର ଜଣେ ନାବାଳିକା ଶାରୀରିକ ଏବଂ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ବିଷପିଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସୁବାସ ମୁଦୁଲି ଓରଫ୍‌ ସୁବା (୨୯)ଙ୍କୁ ପୋଲିସ ଶୁକ୍ରବାର ବୋଧିଆବେରେଣୀ ଜଙ୍ଗଲରୁ ଗିରଫ କରିଛି। ସେହିପରି କର୍ତ୍ତବ୍ୟରେ ଅବହେଳା ପାଇଁ ପୂର୍ବତନ ଫାଣ୍ଡି ଅଧିକାରୀ ତଥା ଏସ୍‌ଆଇ ପ୍ରଶାନ୍ତ ପଢ଼ିଆରୀଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ନିଲମ୍ବିତ କରିଛନ୍ତି। ଏଥିପୂର୍ବରୁ ଗୁରୁବାର ଏଏସ୍‌ଆଇ ପଦ୍ମନାଭ ସାହୁଙ୍କୁ ଆଇଜି ନିଲମ୍ବିତ କରିଥିଲେ। ଏ ସଂକ୍ରାନ୍ତରେ ସନ୍ଧ୍ୟାରେ ସଦର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଅନୁପମା ଜେମ୍‌ସ ସୂଚନା ଦେଇଛନ୍ତି।
ପୀଡ଼ିତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଜିଲା କାର୍ଯ୍ୟାଳୟରେ ଆସି ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ନଂ. ୨୯୦/୨୦, ଦଫା ୩୦୬ରେ ସଦର ଥାନାରେ ମାମଲା ରୁଜୁ କରାଯାଇଥିଲା। ପୂର୍ବରୁ ନଂ. ୩୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଗୁରୁବାର ରାତିରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଶୁକ୍ରବାର ଦିନତମାମ ଭୁବନେଶ୍ୱର, କଟକ, ଢେଙ୍କାନାଳ ସମେତ ୬-୭ଟି ଜାଗାରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଥିଲା। ସେ ଜଙ୍ଗଲରେ ଲୁଚି ରହିଥିବା ସୂଚନା ମିଳିବା ପରେ ତାଙ୍କୁ ଚଢ଼ାଉ କରି ଗିରଫ କରାଯାଇଛି। ଅଭିଯୁକ୍ତ ସୁବାସ ଅଭିଯୋଗକୁ ସ୍ବୀକାର କରିଛନ୍ତି। ଏଥିପୂର୍ବରୁ ତାଙ୍କ ନାମରେ ସଦର ଥାନାରେ କେସ୍‌ ନଂ. ୨୦୬/୧୪ରେ ବଳାତ୍କାର ଏବଂ ମରଣାନ୍ତକ ଆକ୍ରମଣ ମାମଲା ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଏସ୍‌ସିପିଓ ଶ୍ରୀହର୍ଷ ମିଶ୍ର, ଥାନାଧିକାରୀ ସନ୍ଧ୍ୟାରାଣୀ ବେଉରିଆ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷେ ଶୁକ୍ରବାର ଜିଲା ଭାଜପା ସଭାପତି ନରେଶଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଭାଜପାର ଏକ ଟିମ୍‌ ମୃତ ନାବାଳିକାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି। ଏଥିସହ ମୃତ ନାବାଳିକାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ସହାୟତା ଦେବା ସହ ଏପରି ଘଟଣାରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।