Advertisement

ପ୍ରେମିକାଙ୍କୁ ପାଇବା ପାଇଁ ନାବାଳକଙ୍କୁ ବାଟରୁ ହଟାଇଦେଲେ, ୨ ହତ୍ୟାକାରୀ ଗିରଫ

ଦେବଗଡ,୨୭।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମରେ ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ତ୍ରିକୋଣୀୟ ପ୍ରେମ ବ୍ୟାପରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଖୁଲାସା କରିଛି । ଏହି ଘଟଣାରେ ୨ ହତ୍ୟାକାରୀଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ନାକଟିଦେଉଳ ଥାନା ଚନ୍ଦ୍ରପୁର ଗାଁର ସୁଶୀଲ ମୁଣ୍ଡା ଏବଂ ହତ୍ୟାରେ ସହଯୋଗ କରିଥିବା କୁଣ୍ଢେଇଗୋଳା ଥାନା କୁରଡପଶି ଗ୍ରାମର ଅମନ ନାୟକ ଗିରଫ ହୋଇଛନ୍ତି।

ଅଭିଯୁକ୍ତଙ୍କ ଠାରୁ ମୃତକଙ୍କ ମୋବାଇଲ ଏବଂ ରଶି ଜବତ ହୋଇଛି । ତୁଙ୍ଗାମାଳ ଗ୍ରାମର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା (୧୭) ନିଖୋଜ ଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ପରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲା ପରେ ବୁଧବାର ତୁଙ୍ଗାମାଳ ଜଙ୍ଗଲ ଭିତରୁ ଅମିତଙ୍କ ମୃତଦେହ ଠାବ ହୋଇଥିଲା । କେହି ହତ୍ୟା କରି ଜଙ୍ଗଲ ଭିତରେ ମୃତଦେହ ଲୁଚାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା । ଘଟଣାସ୍ଥଳରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହ ପୋଲିସ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା।

ସୂଚନାନୁସାରେ, ମୃତ ନାବାଳକ ଅମିତ ଏବଂ ଅଭିଯୁକ୍ତ ସୁଶୀଲ ଜଣେ ଝିଅକୁ ଭଲ ପାଉଥିଲେ। ଝିଅ ସହିତ ସମ୍ପର୍କ ନ ରଖିବା ପାଇଁ ଅମିତଙ୍କୁ ସୁଶୀଲ ବାରମ୍ବାର ମନା କରିଥିଲା। ମାତ୍ର ଅମିତ ନମାନିବାରୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇଦେବାର ନିଷ୍ପତ୍ତି ନେଇଥିଲା ସୁଶୀଲ। ରାତିରେ କଥା ହେବା ବାହାନାରେ ଅମିତଙ୍କୁ ଡାକି ସୁଶୀଲ ଏବଂ ତାର ସହଯୋଗୀ ଅମନ ଏକ ରଶିରେ ତଣ୍ଟି ଚିପି ହତ୍ୟା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share