ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୫ା୧୨: ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୩ ମାସ ଜେଲ ଭୋଗିବାକୁ ରାୟରେ ଉଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ କୋଟଗଡ଼ ଥାନା ମୁଣ୍ଡାସାହିର ମନୁ ପାଟଗୁରୁ (୨୯)।
ପୀଡିତା ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ୨୦୧୮ ସେପ୍ଟେମ୍ବର ୨୧ତାରିଖ ରାତି ପ୍ରାୟ ୧୦ଟାରେ ସେ ପରିସ୍ରା କରିବାକୁ ଯାଇ ଫେରି ନ ଥିଲେ । ଅଭିଯୁକ୍ତ ମନୁ ତାଙ୍କୁ ଅପହରଣ କରି ପରେ ବଳାତ୍କାର କରିଥିଲେ। ନାବାଳିକା ଜଣକ ଘରକୁ ଫେରି ପରିବାରେ ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏ ନେଇ ନାବାଳିକାଙ୍କ ବାପା କୋଟଗଡ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ.୪୪/୧୮) ରୁଜୁ କରି ମନୁଙ୍କୁ ଗିରଫ କରିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣ ଏବଂ ମେଡିକାଲ ରିପୋର୍ଟକୁ ଆଧାର କରି ବିଚାରପତି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Share