ବାଂଲାଦେଶରେ ସଂଖ୍ୟାଲଘୁ ଅସୁରକ୍ଷିତ

ଢାକା,୭ା୮: ବାଂଲାଦେଶରେ ଶେଖ୍‌ ହାସିନାଙ୍କ ସରକାରର ପତନ ପରେ ସେଠାରେ ଦଙ୍ଗା ଓ ଲୁଟ୍‌ପାଟ ଜୋର୍‌ଦାର ହୋଇଛି। ସେଠାରେ ଥିବା ସଂଖ୍ୟାଲଘୁ ହିନ୍ଦୁ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି। ଆନ୍ଦୋଳନକାରୀମାନେ ୨୭ଟି ଜିଲାରେ ଥିବା ବହୁ ମନ୍ଦିର ଏବଂ ହିନ୍ଦୁମାନଙ୍କ ଘର ଓ ଦୋକାନରେ ନିଆଁ ଲଗାଇଦେଇଛନ୍ତି। ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ମେହେରପୁରରେ ଥିବା ଇସ୍କନ ମନ୍ଦିର ଏବଂ ଏକ କାଳୀ ମନ୍ଦିରକୁ ଭଙ୍ଗାରୁଜା କରାଯିବା ସହ ସେଥିରେ ନିଆଁ ଲଗାଇଦିଆଯାଇଛି। ଇସ୍କନ ମନ୍ଦିରର ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତିକୁ ମଧ୍ୟ ଦୁର୍ବୃତ୍ତମାନେ ଜାଳିଦେଇଛନ୍ତି। ଚିଟ୍ଟାଗଙ୍ଗର ନବଗ୍ରହ ବରିଠାରେ ଥିବା ଏକ ମନ୍ଦିରକୁ ଜାଳି ଦିଆଯାଇଛି। ହିନ୍ଦୁ ସମ୍ପ୍ରଦାୟର ମୋଟ ୫୪ଟି ମନ୍ଦିର, ଘର ଓ ପ୍ରତିଷ୍ଠାନ ଉପରେ ଆକ୍ରମଣ ହୋଇଥିବା ବାଂଲାଦେଶ ହିନ୍ଦୁ ବୁଦ୍ଧିଷ୍ଟ କ୍ରିଷ୍ଟିଆନ ୟୁନିଟି କାଉନ୍‌ସିଲ ପକ୍ଷରୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ କଲ୍‌ଚରାଲ ସେଣ୍ଟରରେ ମଧ୍ୟ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିଛନ୍ତି। ଅନ୍ୟପକ୍ଷରେ କୁମିଲାରେ ଏକ ହିନ୍ଦୁ ମନ୍ଦିରକୁ ମୁସଲମାନ ମୌଲବୀମାନେ ଜଗିଥିବାର ଭିଜୁଆଲ ମଧ୍ୟ ଦେଖିବାକୁ ମିଳିଛି। ଗତ ରବିବାର ଆନ୍ଦୋଳନବେଳେ ରଙ୍ଗପୁର ସିଟି କର୍ପୋରେଶନର ହିନ୍ଦୁ କାଉନସିଲରଙ୍କ ମୃତ୍ୟୁ ଘଟିଥିଲା। କଜଲ ରାୟ ନାମରେ ଅନ୍ୟ ଜଣେ କାଉନସିଲରଙ୍କୁ ଲୋକେ ପିଟି ମାରିଦେଇଛନ୍ତି।
ଭାରତ ସରକାର ବାଂଲାଦେଶର ଅନ୍ତରୀଣ ସରକାରଙ୍କ ସହ କ୍ରମାଗତ ଯୋଗାଯୋଗରେ ରହିବା ସହ ଢାକାର ଆଇନ ଶୃଙ୍ଖଳା ସ୍ଥିତି ଉପରେ ନଜର ରଖିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର ରାଜ୍ୟ ସଭାକୁ କହିଛନ୍ତି। ସେଠାରେ ସଂଖ୍ୟାଲଘୁମାନେ ଆକ୍ରମଣର ଶିକାର ହୋଇଥିବା ଜୟଶଙ୍କର ସ୍ବୀକାର କରିଛନ୍ତି।

Share