କେନ୍ଦୁଝର,୨୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଦୈତାରୀ ରେଞ୍ଜ ତାଳପଦା ଗ୍ରାମରେ ବାର୍ହା ଆକ୍ରମଣରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସାଧବ ଜୁଆଙ୍ଗଙ୍କ ଝିଅ ସୁନାରୀ ଜୁଆଙ୍ଗ(୧୬)।
ବିଭାଗ ପକ୍ଷରୁ ସହାୟତା ବାବଦରେ ମୃତକଙ୍କ ପରିବାର ଲୋକଙ୍କୁ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ପରେ ଅବଶିଷ୍ଟ ସହାୟତା ରାଶି ପ୍ରଦାନ କରାଯିବ ବୋଲି ରେଞ୍ଜ ଅଧିକାରୀ ରମାକାନ୍ତ ସେଠୀ କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ତାଳପଦା ଗ୍ରାମଟି ବଣପାହାଡ଼ ଘେରାରେ ରହିଛି। ଗାଁରେ ସର୍ବଦା ବନ୍ୟଜନ୍ତୁ ଚଳପ୍ରଚଳ ରହିଥାନ୍ତି। ସୁନାରୀ ଘର ପଛପଟେ ବାସନ ମାଜୁ ଥିଲେ। ସେତିକିବେଳେ ଜଙ୍ଗଲରୁ ଏକ ବାର୍ହା ଆସି ତାଙ୍କୁ ଆକ୍ରମଣ କରିଥିଲା। ସେ ପାଟି କରିବାରୁ ପରିବାର ଲୋକ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦୈତାରୀସ୍ଥିତ ଓଏମ୍ସି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆନନ୍ଦପୁର ଡିଏଫ୍ଓ ଅଭୟ କୁମାର ଦଳେଇ କହିଛନ୍ତି, ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ୬ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ବାର୍ହା ଆକ୍ରମଣ ଘଟଣା ଉକ୍ତ ଡିଭିଜନରେ ପ୍ରଥମ ବୋଲି ସେ କହିଛନ୍ତି।