Categories: ଜାତୀୟ

ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶ ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ,୨୫।୬: ଜଣେ ୭.୫ ବର୍ଷର ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଓ ହତ୍ୟା ମାମଲାରେ ଅପରାଧୀଙ୍କୁ ମିଳିଥିବା ମୃତ୍ୟୁ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ଶୁକ୍ରବାର କାଏମ ରଖିଛନ୍ତି। ୨୦୧୫ ମେ’ ୨୯ରେ ରାଜସ୍ଥାନ ହାଇକୋର୍ଟ ଅଭିଯୁକ୍ତ ମନୋଜ ପ୍ରତାପ ସିଂଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ଦେଇଥିଲେ। ଏହାକୁ ଅତ୍ୟଧିକ ବର୍ବର ଅପରାଧ ଦର୍ଶାଇ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ ବୋଲି ଜଷ୍ଟିସ ଏ.ଏମ୍‌. ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି। ଅଭିଯୋଗ ଅନୁଯାୟୀ ରାଜସ୍ଥାନର ରାଜସମନ୍ଦ ଜିଲାରେ ୨୦୧୩ ଜାନୁୟାରୀ ୧୭ରେ ଭିନ୍ନକ୍ଷମ ନାବାଳିକାଙ୍କ ମାଆବାପା ଏକ ଠେଲାଗାଡ଼ିରେ ପରିବା ବିକୁଥିଲେ। ସେମାନଙ୍କ ଆଖି ସାମନାରୁ ଝିଅକୁ ମନୋଜ ଅପହରଣ କରିନେଇ ବୀଭତ୍ସ ଭାବେ ବଳାତ୍କାର କରିବା ପରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ମାମଲାର ବିଚାର କରି ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେବା ପରେ ମନୋଜ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ତାଙ୍କର ୧୨୯ ପୃଷ୍ଠାର ରାୟରେ ଏହାକୁ ବିରଳରୁ ବିରଳତମ ଅପରାଧ ବୋଲି ଦର୍ଶାଇଛନ୍ତି।

Share