Categories: ବାଣିଜ୍ୟ

ମିନୁ ମହାନ୍ତଙ୍କୁ ‘ୱିଙ୍ଗସ ଅଫ୍‌ ଷ୍ଟିଲ୍‌’ ଆଓ୍ବାର୍ଡ

ଭୁବନେଶ୍ୱର,୮।୧୧(ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ପ୍ରଥମ ମହିଳା ଓଭରହେଡ୍‌ କ୍ରେନ୍‌ ପରିଚାଳିକା ମିନୁ ମହାନ୍ତଙ୍କୁ ନିକଟରେ ଇଣ୍ଡିଆନ ଷ୍ଟିଲ୍‌ ଆସୋସିଏସନ (ଆଇଏସ୍‌ଏ) ପକ୍ଷରୁ ‘ୱିଙ୍ଗସ୍‌ ଅଫ୍‌ ଷ୍ଟିଲ୍‌’ ଆୱାର୍ଡ଼ ପ୍ରଦାନ କରାଯାଇଛି। ବିଶେଷକରି ‘ଲିଙ୍ଗ ଏବଂ ବିବିଧତା’ ବର୍ଗରେ ସେ ଉପରୋକ୍ତ ଆଓ୍ବାର୍ଡ (ପୁରସ୍କାର) ପାଇଛନ୍ତି। ଏପରିକି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ଆସୁଥିବା ଯାଜପୁରର ୪୩ ବର୍ଷୀୟ ମିନୁଙ୍କ ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପକୁ ଆଇଏସ୍‌ଏ ଢେର ପ୍ରଶଂସା କରିଛି। ସେହିଭଳି ନୂଆଦିଲ୍ଲୀଠାରେ ଆୟୋଜିତ ଆଇଏସ୍‌ଏ ଷ୍ଟିଲ କନ୍‌କ୍ଲେଭର ୪ର୍ଥ ସଂସ୍କରଣରେ କଠିନ ପରିସ୍ଥିତିକୁ ସାମ୍ନା କରି ହାର ମାନି ନଥିବା ମିନୁଙ୍କୁ ଜ୍ୟୁରି ସ୍ପେଶାଲ ଆୱାର୍ଡ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଜିନ୍ଦଲ ଷ୍ଟେନ୍‌ଲେସ୍‌ରେ ଯୋଗଦେବା ପୂର୍ବରୁ ମିନୁ ପଥର ଭାଙ୍ଗି ଗୁଡ଼ି ତିଆରି କରିବା କାମ କରୁଥିଲେ। ୨୦୧୧ରେ ସେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ଷ୍ଟିଲ୍‌ ମେଲ୍ଟିଂ ଶପ୍‌ର ହାଉସ କିପିଂ ଦଳରେ ଯୋଗଦେଲେ। ଏପରିକି ମେଶିନ ପରିଚାଳନା କରିବା କାମ ଶିଖିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଶକ୍ତି ଥିଲା। ଫଳରେ ସେ ଖୁବ୍‌ଶୀଘ୍ର ଇଞ୍ଜିନ ଚାଳିତ କ୍ଲିନିଂ ଯାନ ଚଳାଇବା ଶିଖିପାରିଲେ।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ମିନୁଙ୍କ ସାହସ ଓ ପରିଶ୍ରମକୁ ଆଇଏସ୍‌ଏ ପକ୍ଷରୁ ମାନ୍ୟତା ମିଳିଥିବାରୁ ମୁଁ ଗର୍ବ ଅନୁଭବ କରୁଛି। ଏହା ହେଉଛି କାମ ପ୍ରତି ତାଙ୍କର ଅଦମ୍ୟ ନିଷ୍ଠା ଓ ପ୍ରତିବଦ୍ଧତାର କାହାଣୀ। ଜିନ୍ଦଲ ଷ୍ଟେନ୍‌ଲେସ୍‌ରେ ଆମେ ସବୁବେଳେ ମହିଳାମାନଙ୍କୁ ଆହ୍ବାନମୂଳକ କାମ କରି ଅନ୍ୟମାନଙ୍କ ପ୍ରେରଣା ସାଜିବା ପାଇଁ ପ୍ରୋତ୍ସାହନ କରିଆସୁଛୁ। ମିନୁ କାରଖାନା (ପ୍ଲାଣ୍ଟ)ରେ କାର୍ଯ୍ୟରତ ମହିଳାମାନଙ୍କୁ ତାଲିମ ଦେବା ସହ ପୁରୁଷ ପ୍ରଧାନ କାମଗୁଡ଼ିକ କରିବା ପାଇଁ ଉତ୍ସାହିତ କରନ୍ତି। ଆଇଏସ୍‌ଏ ଏଭଳି ଏକ ପ୍ଲାଟ୍‌ଫର୍ମ ରୂପେ ଉଭା ହୋଇଛି,ଯାହା ଭାରତୀୟ ଆଇରନ ଓ ଷ୍ଟିଲ୍‌ ଶିଳ୍ପରେ ଥିବା ବିଭିନ୍ନ ସମସ୍ୟା, ଆହ୍ବାନଗୁଡ଼ିକୁ ସରକାର ତଥା ଭାରତ ଓ ଦେଶ ବାହାରର ଅନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରିଥାଏ। ମିନୁ କହିଛନ୍ତି, ଏହା ମୋ ପାଇଁ ଏକ ବଡ ଦିନ, ମୋ ମତରେ ସାହସୀ ହେବା ଛଡ଼ା ମହିଳାଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। ଜିନ୍ଦଲ ଷ୍ଟେନ୍‌ଲେସ୍‌ରେ ମୋତେ ସୁଯୋଗ ମିଳିଥିବାରୁ ମୁଁ କୃତଜ୍ଞ ଏବଂ ଏକ ସାହସୀ ଓ ନିର୍ଭୀକ ମହିଳା ଦଳ ଗଠନ କରିବା ପାଇଁ ମୁଁ ପ୍ରତିବଦ୍ଧ ରହିଛି।

Share