ଠିକାଦାରଙ୍କ ସ୍ବାର୍ଥରେ ଏମ୍‌ଆଇପି ଯୋଜନା

ଯାଜପୁର ଅଫିସ/କୋରେଇ (ଡି.ଏନ.ଏ.),୩ା୩: ସରକାର ରାଜ୍ୟବ୍ୟାପୀ ଶତପ୍ରତିଶତ ଜମିରେ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନାରେ ପ୍ରକଳ୍ପଗୁଡିକରେ ଅଧିକରୁ ଅଧିକ ସେଚ ସାମର୍ଥ୍ୟ ବୃଦ୍ଧି କରିବା, କେନାଲର ରକ୍ଷଣାବେକ୍ଷଣ, ଫସଲ ଖସଡା ପ୍ରସ୍ତୁତି, ସୁଷମ ଜଳ ଆବଣ୍ଟନ ସକାଶେ ପାଣି ପଞ୍ଚାୟତ ସଂଖ୍ୟା ତଥା ଦକ୍ଷତା ବୃଦ୍ଧି କରାଯାଉଥିବା କୁହାଯାଉଛି । ପ୍ରତିବର୍ଷ ଅଧିକରୁ ଅଧିକ କ୍ଷେତ୍ର ସେଚନାଳୀ ନିର୍ମାଣ, ଓଡ଼ିଶା ଗୋଷ୍ଠୀ ଜଳାଶୟ ମରାମତି, ପରିଚାଳନା ପୁନରୁଦ୍ଧାର ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ଯାଜପୁର ଜିଲାରେ ଏହିସବୁ କାର୍ଯ୍ୟକ୍ରମ ବିଫଳ ହେଉଥିବା ଦୃଷ୍ଟିଗୋଚର ହେଉଛି। କ୍ଷୁଦ୍ର ଜଳସେଚନ ବିଭାଗର ହରିଲୁଟ ମନୋଭାବ ଏବଂ ଠିକାଦାର ପ୍ରୀତି କାରଣରୁ ଜଳସେଚନର ବାସ୍ତବ ଲକ୍ଷ୍ୟପୂରଣ ହୋଇ ପାରୁ ନ ଥିବା ମତପ୍ରକାଶ ପାଇଛି।
ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଛିକୋଟ ପଞ୍ଚାୟତ ଆଇଚିପୁର ଗ୍ରାମର ଚେକ୍‌ଡ୍ୟାମ ନିର୍ମାଣ କାର୍ଯ୍ୟରେ ଏହାର ଏକ ଦୃଷ୍ଟାନ୍ତ ଉଦାହରଣ ଦେଖିବାକୁ ମିଳିଛି । ଜଳସେଚନର ଲକ୍ଷ୍ୟ ପୂରଣ କରିବା ପରିବର୍ତ୍ତେ ଏହି ପ୍ରକଳ୍ପ ପାଇଁ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ମିଳିମିଶି ହଡପ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ୨୦୨୨-୨୩ ବର୍ଷରେ ଆଇଚିପୁର ଗ୍ରାମରେ ପ୍ରାୟ ୩୫ ହେକ୍ଟର ଚାଷ ଜମିକୁ ଜଳସେଚନ ଉଦ୍ଦେଶ୍ୟରେ ୬୬ ଲକ୍ଷ ୯୫ ହଜାର ଟଙ୍କାର ଆର୍ଥିକ ଅନୁଦାନ ବରାଦ କରାଯାଇଛି। ଠିକାଦାର ସତ୍ୟବ୍ରତ ମହାନ୍ତିଙ୍କୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ଚାଷୀଙ୍କ ସ୍ବାର୍ଥରେ ନିର୍ମାଣ ହେଉଥିବା ଏହି କାର୍ଯ୍ୟକୁ ଠିକାଦାର ଆଗେଇ ନେଉଥିବା ବେଳେ ସ୍ଥାନୀୟ ଚାଷୀଙ୍କ ସହିତ କୌଣସି ଆଲୋଚନା କରି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଏମ୍‌ଆଇପି ପ୍ରକଳ୍ପରେ ବ୍ୟବହାର ହେଉଥିବା ରଡ଼ ସିମେଣ୍ଟ ଓ ଚିପ୍ସ ଅତ୍ୟନ୍ତ ନିମ୍ନମାନର ଏବଂ ମୋଟେଇ ଓ ଚଉଡା ଏଷ୍ଟିମେଟ ଅନୁଯାୟୀ ନିର୍ମାଣ ହେଉ ନାହିଁ ବୋଲି ଅଭିଯୋଗ ହୋଇଛି । ଏହାସହ ଅନାମଧ୍ୟେୟ କମ୍ପାନୀର ସିମେଣ୍ଟ ବ୍ୟବହାର କରି କାମ ଚାଲୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ଚାଷୀଙ୍କ କାମରେ ଲାଗିବା ପୂର୍ବରୁ ଏହି ପ୍ରକଳ୍ପ ଭୁଶୁଡ଼ିଯିବା ନେଇ ସନ୍ଦେହ ଘନୀଭୂତ ହୋଇଛି । ନିର୍ମାଣ ସ୍ଥାନରେ କୌଣସି ସୂଚନା ଫଳକ ଲାଗି ନ ଥିବା କାରଣରୁ ସାଧାରଣ ଲୋକ ପ୍ରକଳ୍ପର ସମ୍ପୂର୍ଣ୍ଣ ବିବରଣୀ ପାଇବାରୁ ବଞ୍ଚିତ ରହୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି ମାତ୍ର ୪୦ ପ୍ରତିଶତ ଯେନତେନ ପ୍ରକାରେ କାମ କରି ଠିକାଦାର ପ୍ରାୟ ୨୭ ଲକ୍ଷ ଟଙ୍କାର ଅର୍ଦ୍ଧଭାଗ ବିଲ କରିନେଇଥିବା ଆରଟିଆଇରେ ମିଳିଥିବା ତଥ୍ୟରୁ ଜଣାପଡିଛି । ଜିଲାର ଜଣେ ପ୍ରଭାବଶାଳୀ ନେତାଙ୍କୁ ହାତ କରି ଠିକାଦାର ନିଜର ମନମୁଖୀ କାର୍ଯ୍ୟ ଚଳାଇଥିବା କୁହାଯାଉଛି । ମୋଟା ଅଙ୍କର ମୁନାଫା ନେଇ କେତେଜଣ ଦୁର୍ନୀତିଖୋର ବିଭାଗୀୟ ଅଧିକାରୀ ଠିକାଦାରଙ୍କ ସ୍ବାର୍ଥରେ ଆଗୁଆ ବିଲ କରୁଥିବା ଚର୍ଚ୍ଚା ହେଉଛି। ଏହି କାରବାର ବିଭାଗର ତଳୁ ଉପର ଯାଏଁ ଲମ୍ବିଥିବା ଯୋଗୁ ଠିକାଦାରଙ୍କ ପ୍ରଶାସନ ପ୍ରତି ଡ଼ର ଭୟ ରହୁନାହିଁ । ଫଳରେ କାମ ଯେତେ ନିମ୍ନମାନର ହେଉଥିବା ଅଭିଯୋଗ ହେଲେ ମଧ୍ୟ ଠିକାଦାରଙ୍କ ବିଲ ହେବାରେ କୌଣସି ଅସୁବିଧା ହେଉନାହିଁ।
କୋରେଇ ବ୍ଲକ ଅଧୀନରେ ଏକାଧିକ ଚେକ୍‌ଡ୍ୟାମ ପ୍ରକଳ୍ପ ଅଧାପନ୍ତରିଆ ରହିଥିବା ବେଳେ କେତେକ ପ୍ରକଳ୍ପ ଭୁଶୁଡ଼ି ପଡିଛି । ବିଭାଗୀୟ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇ ଚୁପ ରହୁଛନ୍ତି। କେତେକ ସ୍ଥାନରେ ଜିଲା ପ୍ରଶାସନ ସାମାନ୍ୟ କାର୍ଯ୍ୟାନୁଷ୍ଠାନ ନେଇ ଠିକାଦାରଙ୍କୁ ସୁରକ୍ଷା ଦେଉଥିବା ନଜିର ରହିଛି । କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଦୁର୍ନୀତିଖୋର ଠିକାଦାରଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ। ଏ ସଂକ୍ରାନ୍ତରେ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜନ ଦଳେଇଙ୍କୁ ପଚାରିବାରୁ ନିର୍ମାଣ କାର୍ଯ୍ୟରେ କୌଣସି ଦୁର୍ନୀତି କିମ୍ବା ପ୍ରିୟାପ୍ରୀତି ହେଉନାହିଁ, କାମ ୭୦ ପ୍ରତିଶତ ହୋଇଛି ବୋଲି କହିଛନ୍ତି। ଅନ୍ୟପକ୍ଷେ ଯାଜପୁର ଏମ୍‌ଆଇପି ବିଭାଗରେ ପୂର୍ବରୁ ଓ ଏବେ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଅଧିକାରୀମାନଙ୍କ ଆୟବର୍ହିଭୁତ ସମ୍ପତ୍ତି ତାଲିକା ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବାସ୍ତବ ସତ୍ୟ ପଦାକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି।