Categories: ଫୁରସତ

ସ୍ମୃତିର ଆଇନା

କଥାରେ ଅଛି ‘ଏ ଫଟୋଗ୍ରାଫ୍‌ ସ୍ପିକ୍ସ ଏ ଥାଉଜାଣ୍ଡ ଓ୍ବାର୍ଡସ୍‌’। ଅର୍ଥାତ ଗୋଟିଏ ଫଟୋ କହିପାରେ ହଜାରେ ଶବ୍ଦ। ଫଟୋଗ୍ରାଫି ଏଭଳି ଏକ କଳା ଯାହାଲାଗି ଆବଶ୍ୟକ ହୋଇଥାଏ ଆବେଗ, ଉତ୍କଣ୍ଠା, କୌତୁହଳ ଏବଂ ସୃଜନଶୀଳତା। ସାଧାରଣ ମୂହୁର୍ତ୍ତଟିଏ କ୍ୟାମେରା ଲେନ୍ସରେ କଏଦ ହେବା ପରେ ହୋଇଯାଏ ଅମୂଲ୍ୟ। ସାରାଜୀବନ ସାଇତି ରଖିବା ଲାଗି ଏହା ଆମକୁ ଅନେକ ସ୍ମୃତି ମଧ୍ୟ ଦେଇଯାଏ। ଏହା କାହାପାଇଁ ନିଶା ତ କାହାପାଇଁ ପେସା। ଆଜିକାଲି ଡିଜିଟାଲ ଏବଂ ସ୍ମାର୍ଟଫୋନ ଯୁଗରେ ସମସ୍ତେ ଜଣେ ଜଣେ ଫଟୋଗ୍ରାଫର କହିଲେ ଅତ୍ୟୁକ୍ତି ହେବ ନାହିଁ। ଅତ୍ୟାଧୁନିକ ଟେକ୍ନୋଲୋଜି ଦିନକୁ ଦିନ ଫଟୋ ଏବଂ ଫଟୋଗ୍ରାଫିକୁ ନୂଆ ଦିଶା ଦେଉଛି। ସେଲ୍ଫି ନେବାଠାରୁ ଆରମ୍ଭ କରି ଯୁଦ୍ଧ ତଥା ମାନବିକ ଅଧିକାରର ଉଲ୍ଲଂଘନ ପର୍ଯ୍ୟନ୍ତ ବିଭିନ୍ନ ଘଟଣାବଳୀର ଫଟୋ ଲୋକେ ଉଠାଉଛନ୍ତି। ଫଟୋଗ୍ରାଫିର ଗୁରୁତ୍ୱକୁ ମନେ ପକାଇଦେବା ଲାଗି ତଥା ବିଶେଷ ମୁହୂର୍ତ୍ତକୁ ତୋଳି ଧରୁଥିବା ସେହି ବ୍ୟକ୍ତିଙ୍କ ପାଇଁ ଅଗଷ୍ଟ ୧୯କୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଫଟୋଗ୍ରାଫରମାନଙ୍କ ପାଇଁ ଆସିଥାଏ ପ୍ରୋତ୍ସାହନର ବାର୍ତ୍ତା। ସେହିଭଳି ଚିତ୍ର ଉତ୍ତୋଳନ କରିବାର କଳା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ।
୧୮୩୭ ମସିହାରୁ ବିଶ୍ୱ ଫଟୋଗ୍ରାଫି ଦିବସ ଆରମ୍ଭ ହୋଇଥିଲା। ଫ୍ରାନ୍ସରେ ଜୋସେଫ ନିକେଫୋର ନିପ୍ସେ ଏବଂ ଲୁଇ ଡାଗୁରେ ପ୍ରଥମ ଫଟୋଗ୍ରାଫିକ ପ୍ରକ୍ରିୟା ଡାଗୁରେରୋଟାଇପ୍‌ ଉଦ୍ଭାବନ କରିଥିଲେ। ୧୮୬୧ ମସିହାରେ ପ୍ରଥମ ସ୍ଥାୟୀ ରଙ୍ଗିନ ଫଟୋଗ୍ରାଫ ଉତ୍ତୋଳିତ ହୋଇଥିଲା। ସେବେଠାରୁ ଫଟୋଗ୍ରାଫିର ମାଧ୍ୟମ ବିକଶିତ ହେଲା। ପ୍ରଥମ ଡିଜିଟାଲ ଫଟୋଗ୍ରାଫ ୧୯୫୭ ମସିହାରେ, ଡିଜିଟାଲ କ୍ୟାମେରା ଉଦ୍ଭାବନ ହେବାର ଦୁଇ ଦଶନ୍ଧି ପୂର୍ବରୁ ସୃଷ୍ଟି କରାଯାଇଥିଲା। ଫ୍ରେଞ୍ଚ ଏକାଡେମୀ ଅଫ ସାଇନ୍ସ ଆନୁଷ୍ଠାନିକ ଭାବରେ ୧୮୩୯ ମସିହାରେ ଡାଗୁରେରୋଟାଇପ ଉଦ୍ଭାବନକୁ ଜନସାଧାରଣଙ୍କ ନିକଟରେ ଘୋଷଣା କଲା। ୧୯ ଅଗଷ୍ଟ ୧୮୩୯ରେ ଫ୍ରାନ୍ସ ସରକାର ଏହି ଉପକରଣ ପାଇଁ ପେଟେଣ୍ଟ କରିଥିଲେ। ପରେ ଏହି ଦିନଟି ବିଶ୍ୱ ଫଟୋଗ୍ରାଫି ଦିବସ ଭାବରେ ପାଳନ କରାଯିବାକୁ ନିଷ୍ପତ୍ତିି ଗ୍ରହଣ ହୋଇଥିଲା। ୨୦୧୦ ଅଗଷ୍ଟ ୧୯ରେ ସର୍ବପ୍ରଥମେ ଏକ ଗ୍ଲୋବାଲ ଅନଲାଇନ ଗ୍ୟାଲେରି ସୃଷ୍ଟି କରାଯାଇଥିଲା। ଏହା ଥିଲା ଐତିହାସିକ ଦିନ କାରଣ ବିଶ୍ୱର ୨୭୦ ଫଟୋଗ୍ରାଫର ଫଟୋଗ୍ରାଫ ମାଧ୍ୟମରେ ସେମାନଙ୍କ ଧାରଣାକୁ ଶେୟାର କରିଥିଲେ। ୧୦୦ରୁ ଊର୍ଦ୍ଧ୍ୱ ଦେଶର ଲୋକେ ଉକ୍ତ ଓ୍ବେବସାଇଟ ପରିଦର୍ଶନ କରିଥିଲେ। ଭାରତରେ ବିଶ୍ୱ ଫଟୋଗ୍ରାଫି ଦିବସ ଖୁବ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଏ। ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଏହା ପାଳିତ ହୋଇଥାଏ।

Share