ମନ୍ଦିର ଦର୍ଶନକୁ ନେଇ ପୋଲିସ-ପୁରୋହିତ ମୁହାଁମୁହିଁ

ମିର୍ଜାପୁର,୨୧।୬: ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳରେ ଥିବା ପ୍ରସିଦ୍ଧ ମା’ ବିନ୍ଧବାସିନି ମନ୍ଦିରରେ ଦର୍ଶନ ଓ ପୂଜାକୁ ନେଇ ରବିବାର ପୋଲିସ ଓ ପୁରୋହିତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। କରୋନା କଟକଣା ଯୋଗୁ ଶନିବାର ଓ ରବିବାର ରାଜ୍ୟରେ ସମସ୍ତ ଧାର୍ମିକ ସ୍ଥଳ ବନ୍ଦ ରହିଥିବା ବେଳେ ଜଣେ ସ୍ଥାନୀୟ ପୁରୋହିତ କିଛି ଲୋକଙ୍କୁ ନେଇ ଜବଦରଦସ୍ତି ମନ୍ଦିର ପରିସରକୁ ପ୍ରବେଶ କରିବାକୁ ଜିଦ୍‌ ଧରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୋଲିସ ତାଙ୍କୁ ଅଟକାଇଥିଲେ। ତେବେ ଦୁହିଁଙ୍କ ମଧ୍ୟ କଥା କଟାକଟି ଏତେ ଦୂର ବଢ଼ିଯାଇଥିଲା ଯେ, ମନ୍ଦିରକୁ ପ୍ରବେଶ କରୁଥିବା ପୁରୋହିତଙ୍କୁ ପୋଲିସ ମାଡ଼ ମାରିବାକୁ ମାଧ୍ୟ ହୋଇଥିଲେ। ଏହି ଘଟଣା ଘଟିବା ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଅନ୍ୟପଟେ ମିର୍ଜାପୁର ପୋଲିସ ଏହି ଘଟଣାକୁ ନେଇ ଟୁଇଟ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାର ଯାଞ୍ଚ କରାଯିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଗାଇଡଲାଇନ ଅନୁସାରେ ଶନିବାର ଓ ରବିବାର ମା’ ବିନ୍ଧବାସିନିଙ୍କ ମନ୍ଦିର ମନ୍ଦ ରହିବ। ତେଣୁ ଏହି ସମୟରେ ମନ୍ଦିର ଦର୍ଶନକୁ ବାରଣ କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ ନ କରିବାକୁ ପୋଲିସ ସାଧାରଣଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Share