ସୁନ୍ଦରଗଡ଼ ଅଫିସ, ୧୭।୧: ହକି ବିଶ୍ୱକପ ଟ୍ରଫି ପରିକ୍ରମା ବେଳେ ବିଜେଡି ନେତା ଓ କର୍ମୀଙ୍କୁ ଦୁର୍ବ୍ୟବହାର ହୋଇଛି। ଏପରିକି ଗାଡ଼ିରୁ ଓହ୍ଲାଇ ଦିଆଯାଇଛି। ସୁନ୍ଦରଗଡ଼ ପିଡିଡିଆର୍ଡିଏଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି। ସେ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କୁ ଟ୍ରଫି ଥିବା ଗାଡ଼ିରୁ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଠେଲାପେଲା ଓ କଥା କଟାକଟି ମଧ୍ୟ ହୋଇଥିଲା।
ବିଶ୍ୱକପ ହକି ଟ୍ରଫି ମଙ୍ଗଳବାର ସୁନ୍ଦରଗ ମ୍ୟୁନିସିପାଲିଟି ପରିକ୍ରମା କରୁଥିଲା। ଏହି ସମୟରେ ଯୋଗେଶ ସିଂ, ଡକ୍ଟର ପ୍ରଫୁଲ୍ଲ ମାଝି ଓ ବିଜେଡି କର୍ମୀମାନେ ଟ୍ରଫି ଥିବା ଗାଡ଼ି ଉପରକୁ ଯାଇ ସେଲ୍ଫି ଉଠାଉଥିଲେ। ଯାହାକୁ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମନୋଜ ସତ୍ୟବାନ ମହାଜନ ବିରୋଧ କରିଥିଲେ। ଏପରିକି ଦୁଇ ପୂର୍ବତନ ବିଧାୟକଙ୍କୁ ଗାଳି ଦେଇଥିବା ଅଭିଯୋଗ ହୋଇଛି। ବିଜେଡି ନେତା ଯୋଗେଶ ସିଂଙ୍କୁ ସେ ଜବରଦସ୍ତି ଗାଡ଼ିରୁ ତଳକୁ ଟାଣି ଆଣିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।