ଆଇଆର୍‌ସିଟିସି କର୍ମଚାରୀଙ୍କ ଅନୁଚିତ ବ୍ୟବହାର

ଯାଜପୁର,୧୨ା୧୨(ହର୍ଷବର୍ଦ୍ଧନ ବେହେରା)ରାଜ୍ୟର ବରିଷ୍ଠ ନାଗରିକମାନେ ଭାରତର ବିଭିନ୍ନ ତୀର୍ଥ ସ୍ଥାନ ବୁଲି ଆନନ୍ଦ ଅନୁଭବ କରିବା ଉଦ୍ଦେଶ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା(ବିଏନ୍‌ଟିୱାଇୱାଇ)ହୋଇଛି। ଭୁବନେଶ୍ୱର ଯିବା ଯାଏ ଓ ଟ୍ରେନରେ ବସିବା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଦ୍ୟମ ତୀର୍ଥଯାତ୍ରୀଙ୍କୁ ବହୁ ଖୁସି ଦେଇଛି ବୋଲି ମତପ୍ରକାଶ ପାଇଛି। କିନ୍ତୁ ଟ୍ରେନ ଛାଡ଼ିବା ପରେ ଆଇଆର୍‌ସିଟିସି(ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜମ କର୍ପୋରେଶନ ଲିଃ) କର୍ମଚାରୀଙ୍କ ଅନୁଚିତ ବ୍ୟବହାର ଓ ସେମାନଙ୍କ କାର୍ଯ୍ୟ ଦକ୍ଷତା ଯାତ୍ରୀମାନଙ୍କୁ ବହୁତ ଦୁଃଖ ଦେଇଛି। ଏନେଇ ତୀର୍ଥ ଯାତ୍ରୀ ଗୋବିନ୍ଦ ମିଶ୍ର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି କ୍ରମରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍‌ଏସ୍‌ଇପିଡି) ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ଦୀପକ ରାଉତରାୟ ଅଭିଯୋଗ ଉପରେ ତୁରନ୍ତ ତଦନ୍ତକରି ପଦକ୍ଷେପ ଗ୍ରହଣ କରିବାକୁ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
୨୨ା୧୧ା୨୦୨୩ରୁ ଆରମ୍ଭ ହୋଇଥିବା ତୀର୍ଥଯାତ୍ରା ସମ୍ପର୍କରେ ଗୋବିନ୍ଦ ମିଶ୍ରଙ୍କ ଅଭିଯୋଗ ମୁତାବକ ଆଇଆର୍‌ସିଟିସି କର୍ମଚାରୀଙ୍କ ବ୍ୟବହାର ବରିଷ୍ଠ ବ୍ୟକ୍ତିମାନଙ୍କୁ ହତାଶ କରିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଯାଇଥିବା ଗାଇଡ ଓ କର୍ମଚାରୀମାନେ ଆଇଆର୍‌ସିଟିସି ପାଖରେ ସତେ ଯେମିତି ବିକ୍ରି ହୋଇଯାଉଛନ୍ତି। ବରିଷ୍ଠଙ୍କ କଥା ନ ଶୁଣି ସେମାନେ ଅସହାୟତା ପ୍ରକାଶ କରିଥାନ୍ତି। ଆଇଆରସିଟିସି ତରଫରୁ ୩ ଥର ଭଲ ଖାଦ୍ୟ ଦେଲେ, ବାକି ୬ ଥର ଅତି ନିମ୍ନମାନର ଖାଦ୍ୟ ଦେଉଛନ୍ତି। ଏପରିକି ପାନୀୟ ଜଳର ଗୁଣବତ୍ତା ଠିକ୍‌ ରହୁନାହିଁ। ଯେଉଁ କିଟ୍‌ ବ୍ୟାଗ୍‌ ଦିଆଯାଉଛି, ତାକୁ ଦିନକ ପରେ ଦେବାରୁ ବିନା ଦାନ୍ତଘସାରେ ଖାଇବାକୁ ବାଧ୍ୟ ହେଲେ। ବ୍ୟାଗ୍‌ରେ କାହାର ପେଷ୍ଟ ନାହିଁ ତା କାହାର ବ୍ରଶ ଓ ଦର୍ପଣ ନ ଥିଲା। ଟ୍ରେନ ପାଇଖାନା ବହୁତ ଅପରିଷ୍କାର ହୋଇଥିଲା। ବହୁତ ସମୟ ଧରି ପାଣି ମିଳିଲା ନାହିଁ। ହରିଦ୍ୱାରରେ ପହଞ୍ଚିବା ପରେ ଯେଉଁ ଧର୍ମଶାଳାରେ ରଖାଗଲା ସେଠାରେ ଗୋଟିଏ ବେଡ୍‌ରେ ୨ଜଣ ଲେଖାଏ ବରିଷ୍ଠଙ୍କୁ ଶୋଇବାକୁ ବାଧ୍ୟ କରାଗଲା। ଆଇଆର୍‌ସିଟିସି କର୍ମଚାରୀ ଔଷଧପତ୍ର ଠିକ୍‌ ଭାବେ ନ ଦେବାରୁ ଜଣେ ବରିଷ୍ଠ ଯାତ୍ରୀଙ୍କ ମୃତ୍ୟୁ ହେଲା। ଏପରିକି ଆଇଆର୍‌ସିଟିସି କର୍ମଚାରୀ ମୋହନ ଥାପ୍ପା ବରିଷ୍ଠ ଯାତ୍ରୀମାନଙ୍କୁ ବହୁତ ଗାଳିମନ୍ଦ କରିଥିଲେ। ବିଡ଼ମ୍ବନା ଯେ ଯେଉଁ ମତାମତ ଫର୍ମ ଦିଆଗଲା ସେଥିରେ କେବଳ ଯାତ୍ରୀମାନଙ୍କ ଦସ୍ତଖତ ନେଲେ ଏବଂ ସେମାନେ ନିଜେ ପୂରଣ କଲେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏଭଳି ଅନେକ ଅବ୍ୟବସ୍ଥା ଯୋଗୁ ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟ ବିଫଳ ହେଉଛି ବୋଲି ମତପ୍ରକାଶ ପାଇଛି।

Share