ବ୍ରହ୍ମପୁର ଅଫିସ,୧୭।୧୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରର ଏକ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚାରଣ କରାଯାଇଥିବା ଭିଡିଓ ବୁଧବାର ଭାଇରାଲ ହେବା ପରେ ବ୍ରହ୍ମପୁର ବଡବଜାର ପୋଲିସ ୫ଜଣ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୩ଜଣ ସାବାଳକ ଓ ୨ ଜଣ ନାବାଳକ ଥିବା ଜଣାପଡିଛି। ଏନେଇ ପୋଲିସ ଏକ ମାମଲା(ନଂ. ୩୦୮/୨୨)ରୁଜୁ କରି ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ସେହିପରି ଦୁଇ ନାବାଳକ ଛାତ୍ରଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ(ଜେଜେବି)ରେ ହାଜର କରାଯାଇ ବାଳ ସୁଧାର ଗୃହକୁ ପଠାଯାଇଛି।
ପ୍ରାଥମିକ ତଦନ୍ତରୁ ଭିଡିଓ ଭାଇରାଲ ଘଟଣାରେ ୧୨ଜଣ ବିଦ୍ୟାର୍ଥୀ ସମ୍ପୃକ୍ତ ଥିବା ଜଣାପଡିଛି। ସମସ୍ତଙ୍କୁ ଟିସି ଦେଇ କଲେଜରୁ ବିଦା କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଏସ୍ପି ସୂଚନା ଦେଇଛନ୍ତି। ସେହିପରି ପୀଡ଼ିତା ଛାତ୍ରୀଙ୍କୁ ପୋଲିସର ବରିଷ୍ଠ ମହିଳା ଅଧିକାରୀମାନେ କାଉନ୍ସେଲିଂ କରିବା ସହ ତାଙ୍କ ସୁରକ୍ଷା ଓ ଶିକ୍ଷା ବ୍ୟବସ୍ଥା କଥା ବୁଝିବେ ବୋଲି ସେ କହିଛନ୍ତି। ତେବେ ଏଥିରେ ଅନ୍ୟ ଯେଉଁମାନଙ୍କ ସମ୍ପୃକ୍ତି ରହିଛି ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି।