ଆଠମଲ୍ଲିକ,୨୦ା୮(ଉଦୀପ୍ତ ପୁରୋହିତ)ଆଠମଲ୍ଲିକ କଲେଜ ପ୍ରତିଷ୍ଠାତା ସଭ୍ୟ ତଥା କଲେଜର ପ୍ରଥମ ଅଧ୍ୟକ୍ଷ ରାମକୃଷ୍ଣ ମିଶ୍ରଙ୍କ କହିବା ଅନୁଯାୟୀ, ରାଜା ପ୍ରଦୀପ ଚନ୍ଦ୍ର ଦେଓ, ଡ. ବ୍ରଜମୋହନ ପାଣିଗ୍ରାହୀ, ତତ୍କାଳୀନ ବିଧାୟକ ବାଳକୃଷ୍ଣ ପଟ୍ଟନାୟକଙ୍କ ସମେତ ଅଞ୍ଚଳର କେତେଜଣ ସୁଯୋଗ୍ୟ ସନ୍ତାନ ଏକତ୍ର ହୋଇ ଆଠମଲ୍ଲିକ କଲେଜ ପ୍ରତିଷ୍ଠାର ପରିକଳ୍ପନା କରିଥିଲେ। କଲେଜ ଗଠନ ନେଇ ହୋଇଥିବା କମିଟିର ସଭାପତି ଭାବେ ତତ୍କାଳୀନ ଉପଜିଲାପାଳ ପର୍ଶୁରାମ କର ଓ ସମ୍ପାଦକ ଭାବେ ରାଜା ଦେଓଙ୍କୁ ଚୟନ କରାଯାଇଥିଲା। ଅବିଭକ୍ତ ଢେଙ୍କାନାଳ ଜିଲାର ତତ୍କାଳୀନ ଜିଲାପାଳ ସରିତା ଜୟନ୍ତ ଦାସଙ୍କ ସହଯୋଗରେ ଉକ୍ତ ପରିକଳ୍ପନା ବାସ୍ତବ ରୂପ ନେଇପାରିଥିଲା। ୧୯୭୮ ମସିହାରେ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ କଲେଜର ପ୍ରଥମ ବର୍ଷ ପାଠପଢା ଆରମ୍ଭ ହୋଇଥିଲା। ତେବେ କଲେଜର ନିଜସ୍ବ ଗୃହ ନ ଥିବାରୁ ସହରର ହରିବନ୍ଧୁ ହୋତା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ନିଜସ୍ବ କୋଠା ନିର୍ମାଣ ପାଇଁ ସେ ୭୦ ହଜାରରୁ ଅଧିକ ଟଙ୍କା ଦାନ କରିଥିଲେ। ଏଥିସହ ଦାନ ସୂତ୍ରରେ ମିଳିଥିବା ଆଉ କିଛି ଅର୍ଥକୁ ମିଶାଇ ୧୯୭୯ରେ ହରିବନ୍ଧୁ ଛାତ୍ରାବାସ ନିର୍ମାଣ କରାଯାଇଥିଲା। ସେହି ଛାତ୍ରାବାସରେ ହିଁ ଯୁକ୍ତ ୨ ଓ ଯୁକ୍ତ ୩ ପାଠପଢ଼ା ଆରମ୍ଭ ହୋଇଥିଲା। ହେଲେ ଧୀରେ ଧୀରେ ହରିବନ୍ଧୁ ଛାତ୍ରାବାସ ଭିତ୍ତିଭୂମି ଦୁର୍ବଳ ହୋଇପଡ଼ିବାରୁ ୧୯୯୪ରେ ନୂତନ ଛାତ୍ରାବାସକୁ +୩ କଳା ଅନର୍ସର ଛାତ୍ରୀଛାତ୍ରଙ୍କୁ ପଠାଯାଇ ସେଠାରେ ଶିକ୍ଷାଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଯୁକ୍ତ ୩ ବିଜ୍ଞାନ ପିଲାଙ୍କୁ ମଧ୍ୟ ସେଠାରେ ଶିକ୍ଷାଦାନ କରାଯାଉଛି। ତେଣୁ ଦୀର୍ଘ ୫୦ ବର୍ଷ ପୂରଣ ହେବାକୁ ବସିଥିବା ଏହି କଲେଜରେ ଯୁକ୍ତ ୩ କଳା ଅନର୍ସ ଓ ବିଜ୍ଞାନ ପିଲାଙ୍କ ପାଇଁ ଆବଶ୍ୟକ କୋଠା ନିର୍ମାଣ କରାଯାଇ ନାହିଁ। କେବଳ ଏହି ଗୋଟିଏ ସମସ୍ୟା ନୁହେଁ, କଲେଜରେ ବିଶୁଦ୍ଧ ପାଇପ୍ ପାଣିର ସୁବିଧା କରାଯାଇ ନାହିଁ। ଅଫିସ କାର୍ଯ୍ୟ ତୁଲାଇବା ପାଇଁ ୪ ଜଣ ଅଣଶିକ୍ଷକ କର୍ମଚାରୀଙ୍କ ଆବଶ୍ୟକତା ଥିଲାବେଳେ ମାତ୍ର ଜଣେ କର୍ମଚାରୀ ଦାୟିତ୍ୱ ତୁଲାଉଛନ୍ତି। ୬ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସ୍ଥାନରେ ୨ ଜଣ ଅଛନ୍ତି। ଇତିହାସ, ଅର୍ଥନୀତି, ଉଦ୍ଭିଦ ବିଜ୍ଞାନ, ତର୍କ ଶାସ୍ତ୍ର, ରାଜନୀତି ବିଜ୍ଞାନ ଓ ଓଡ଼ିଆ ବିଭାଗରେ ଗୋଟିଏ ଲେଖାଏ ଅଧ୍ୟାପକ ପଦବୀ ଖାଲି ରହିଛି। ଗ୍ରନ୍ଥାଗାରିକ ଓ ସହାୟକ ପଦବୀ ଫାଙ୍କା ପଡ଼ିଛି। କଲେଜ ପ୍ରବେଶ ଦ୍ୱାର ନିକଟରେ ଥିବା ବିଶ୍ରାମାଗାର ବିପଦସଙ୍କୁଳ ଅବସ୍ଥାରେ ଥିବା ସତ୍ତ୍ୱେ ସେଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ବାରମ୍ବାର ଦାବି ହେଉଥିଲେ ମଧ୍ୟ ରାଜ୍ୟ ସରକାର ଆଠମଲ୍ଲିକ କଲେଜର ଭିତ୍ତିଭୂମି ସୁଦୃଢ଼ ଦିଗରେ ଦୃଷ୍ଟି ଦେଉ ନ ଥିବାରୁ ଶିକ୍ଷାବିତ୍ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।