ଲୋଭରୁ ଦୁର୍ଦ୍ଦଶା

ଭାରତରୁ ପ୍ରଯୁକ୍ତି ଡିଗ୍ରୀଧାରୀଙ୍କୁ ଉଚ୍ଚ ବେତନ ଲୋଭ ଦେଖାଇ ମାନବ ଚାଲାଣକାରୀ ଗୋଷ୍ଠୀ ବିଦେଶକୁ ପଠାଉଛନ୍ତି। ଏହାର ଏକ ଭୟଙ୍କର ପରିଣାମ ଏବେ ଦକ୍ଷିଣପୂର୍ବ ଏସୀୟ ଦେଶ କାମ୍ବୋଡିଆରେ ସାଇବର ଦାସତ୍ୱର ଶିକାର ହୋଇଥିବା ଭାରତୀୟ କର୍ମଜୀବୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଖବର ମୁତାବକ କାମ୍ବୋଡିଆରେ ଏଭଳି ୫୦୦୦ ଭାରତୀୟ ଫସି ରହିଛନ୍ତି। ଏମାନଙ୍କୁ ପ୍ରଯୁକ୍ତିଭିତ୍ତିକ କାମ ଦେବା ଲୋଭ ଦେଖାଇ ଭାରତରୁ ନିଆଯିବା ପରେ ସେଠାରେ ସେମାନଙ୍କ ଇଚ୍ଛା ବିରୋଧରେ ସାଇବର ଅପରାଧ କାର୍ଯ୍ୟରେ ଲଗାଯାଉଛି। ଭାରତୀୟମାନଙ୍କୁ ୧୨ ଘଣ୍ଟା କାମ କରିବାକୁ ବାଧ୍ୟ କରାଯିବା ସହ ଟାର୍ଗେଟ ପୂରଣ ନ କଲେ ଖାଇବାକୁ କିମ୍ବା ବିଶ୍ରାମ ନେବାକୁ ଦିଆଯାଉନାହିଁ। ନିଯୁକ୍ତି ଦେବାରେ ସହାୟତା କରିଥିବା ର଼୍ୟାକେଟ ଅନ୍‌ଲାଇନ ଠକେଇରେ ଭାରତୀୟମାନଙ୍କଠାରୁ ଟଙ୍କା ଝଡ଼ାଇବା ପାଇଁ ଏହି କର୍ମଚାରୀଙ୍କୁ ନିୟୋଜିତ କରୁଛନ୍ତି। ଫସି ଯାଇଥିବା ଭାରତୀୟ କର୍ମଚାରୀମାନେ ଅନନ୍ୟୋପାୟ ହୋଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଟେକ୍ସଟ ମେସେଜ ମାଧ୍ୟମରେ ନିଜ ଦେଶର ଲୋକଙ୍କୁ ଠକି ଚାଲିଛନ୍ତି। ଏହିସବୁ ର଼୍ୟାକେଟ ଭାରତରେ ଗତ ୬ ମାସରେ ୫୦୦ କୋଟି ଟଙ୍କା ଲୁଟି ନେଇଥିବା ବିଷୟ ଏବେ ପଦାକୁ ଆସିଛି।
ଭାରତ ଓ କାମ୍ବୋଡ଼ିଆ ମଧ୍ୟରେ ସମ୍ପର୍କ ବହୁ ପୁରାତନ। ଉଭୟ ଦେଶ ଗୋଷ୍ଠୀନିରପେକ୍ଷ ଆନ୍ଦୋଳନର ସଦସ୍ୟ ଅଛନ୍ତି। କାମ୍ବୋଡିଆ ସହ ଭାରତ ୧୯୮୧ରେ କୂଟନୈତିକ ସମ୍ପର୍କ ସ୍ଥାପନ କରିବା ପରଠାରୁ ଦୁଇ ଦେଶ ମଧ୍ୟରେ ଉତ୍ତମ ବୁଝାମଣା ରହିଆସିଛି। ଏଠାରେ ବୌଦ୍ଧ ଧର୍ମାବଲମ୍ବୀ ସଂଖ୍ୟାଗରିଷ୍ଠ ଓ ହିନ୍ଦୁ ସଂଖ୍ୟାଲଘୁ। ହିନ୍ଦୁମାନଙ୍କ ପାଇଁ ଏହି ଦେଶ ସକାରାତ୍ମକ ମନେହୁଏ। କାମ୍ବୋଡିଆ ପାଇଁ ଭିଜା ପାଇବାରେ ଏହାର ଇ-ଭିଜା ସିଷ୍ଟମ ସବୁଠୁ ସୁବିଧାଜନକ। ଏହିସବୁ ବିଷୟ ଯୋଗୁ ଭାରତୀୟମାନେ ସହଜରେ କାମ୍ବୋଡିଆରେ ଚାକିରି ପାଇଁ ପ୍ରବେଶ କରିପାରୁଛନ୍ତିି । ବେରୋଜଗାର ଓ ଏଭଳି ସୁବିଧାର ସୁଯୋଗ ନେଇ ମାନବ ଚାଲାଣକାରୀମାନେ ଫାଇଦା ଉଠାଉଥିବା ଦୃଷ୍ଟାନ୍ତ ବାରମ୍ବାର ଦେଖିବାକୁ ମିଳୁଛି।
ଏଠାରେ ମନେପଡ଼େ କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ ସାଇବର ଠକେଇର ଶିକାର ହୋଇ ଗତବର୍ଷ ୬୭ ଲକ୍ଷ ଟଙ୍କା ହରାଇବା ପରେ ପୋଲିସରେ ଅଭିଯୋଗ କରିଥିଲେ। ଓଡ଼ିଶାର ରାଉରକେଲା ପୋଲିସ ସାଇବର ଅପରାଧର ପର୍ଦ୍ଦାଫାଶ କରି ବେଆଇନ ଭାବେ ଯୁବକଙ୍କୁ କାମ୍ବୋଡିଆ ପଠାଉଥିବା ୮ ଜଣଙ୍କୁ ଗିରଫ କରିବା ପରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିଥିଲା। ତେବେ ଅଦ୍ୟାବଧି ଭାରତ ସରକାର ୨୫୦ ଜଣଙ୍କୁ ଉଦ୍ଧାର କରି ଦେଶକୁ ଫେରାଇ ଆଣିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଜାତିସଂଘର ରିପୋର୍ଟ ମୁତାବକ, ୨୦୨୩ରେ କାମ୍ବୋଡିଆରେ ଅତିକମ୍‌ରେ ୧ ଲକ୍ଷ ଓ ମ୍ୟାନ୍‌ମାରରେ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ବେଆଇନ ସାଇବର କାର୍ଯ୍ୟରେ ବାଧ୍ୟତାମୂଳକ ଭାବେ ନିୟୋଜିତ କରାଯାଇଥିଲା। ଏଣୁ ସ୍ଥିତିକୁ ଦେଖିଲେ ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥ୍ୟଠାରୁ କାହିଁ ଅଧିକ ଭାରତୀୟ ଏଭଳି ମାନବଚାଲାଣକାରୀଙ୍କ ଫାଶରେ ପଡ଼ିଥିବେ ବୋଲି ମନେହୁଏ। ବର୍ତ୍ତମାନର କେନ୍ଦ୍ର ସରକାର ଭାରତର ଅର୍ଥ ବ୍ୟବସ୍ଥା ସୁଦୃଢ଼ ରହିଥିବା ବାରମ୍ବାର ଦାବି କରୁଛନ୍ତି। କିନ୍ତୁ ବାସ୍ତବତା ଦେଖିଲେ ଯୁବଶକ୍ତିର ଉପଯୁକ୍ତ ଉପଯୋଗର ଅଭାବ ପରିଲକ୍ଷିତ ହେଉଛି। ସୂଚିତ କରାଯାଇପାରେ ଯେ, ଭାରତର ବେରୋଜଗାର ହାର (୬.୮) ଚାଇନା (୫.୨) ଓ ବଂଲାଦେଶ(୪.୯)ଠାରୁ ଅଧିକ ରହିଥିବା ରିପୋର୍ଟ ପ୍ରକାଶ ପାଉଛି। ଗୋଟିଏ ସମୟ ଥିଲା କମ୍‌ ସଂଖ୍ୟକ ଭାରତୀୟ ବିଦେଶରୁ ପଢ଼ା ଓ ଗବେଷଣା ସାରି ଭାରତକୁ ଫେରି ଆସୁଥିଲେ। ଏବେ ଏହି ସଂଖ୍ୟା ଅନେକ ଗୁଣ ବଢ଼ିଯାଇଛି ଓ ପଢ଼ା ଶେଷ ପରେ କିଛି ଫେରୁଥିବା ବେଳେ ଅଧିକାଂଶ ସେଠାରେ ରହିଯାଉଛନ୍ତି। ଭାରତର ବେରୋଜଗାର ଓ କମ୍‌ ବେତନକୁ ଲକ୍ଷ୍ୟ କରି ସେମାନେ ଏଭଳି ପଦକ୍ଷେପ ନେଉଛନ୍ତି। ସେହିପରି ଭାରତରେ ଥିବା ଯୁବବର୍ଗଙ୍କ ଭିତରୁ କେତେକେ ଦେଶରେ କାମ ନ ପାଇ ମୋଟା ଅଙ୍କ ପାଇବା ଆଶାରେ ବିଦେଶ ଯିବାକୁ ଆଗ୍ରହୀ ହେଉଛନ୍ତି। ଏଭଳି ସୁଯୋଗକୁ ମାନବ ଚାଲାଣକାରୀ ଅନାଇ ବସିଥାଆନ୍ତି। ସଦ୍ୟ ରୁଷିଆ ସେନାରେ ଯୋଗ ଦେଇ ୟୁକ୍ରେନ ବିରୋଧରେ ଲଢ଼ିବାକୁ ଯାଇଥିବା ଯୁବକମାନେ ମଧ୍ୟ ଏହାର ଉଦାହରଣ। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ନିକଟରେ ପ୍ରକାଶ ପାଇଥିଲା। ରୁଷିଆ ଓ କାମ୍ବୋଡିଆ ଘଟଣା ଏବେ ଭାରତୀୟ ବେରୋଜଗାର ସ୍ଥିତିକୁ ସୂଚାଉଥିବାରୁ ସରକାର ଏ ଦିଗରେ ସୁଚିନ୍ତିତ ପଦକ୍ଷେପ ନେବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri