ନିକଟରେ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀ ପରଲୋକ ଘଟିଛି। ସୋସିଆଲ ମିଡିଆରେ ମିଷ୍ଟି ମୁଖାର୍ଜୀଙ୍କ ବଦଳରେ ପ୍ରସିଦ୍ଧ ବଙ୍ଗୀୟ ଅଭିନେତ୍ରୀ ତଥା ମଡେଲ ମିଷ୍ଟି ଚକ୍ରବର୍ତ୍ତୀଙ୍କ ଦେହାନ୍ତ ହେବାର ଖବର ବ୍ୟାପିବାରେ ଲାଗିଛି। ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଥିଲେ। ଏହି ରିପୋର୍ଟ ଦେଖି ମିଷ୍ଟି ଚକ୍ରବର୍ତ୍ତୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ସେ ଜୀବିତ ଏବଂ ସୁସ୍ଥ ଥିବା କହିଛନ୍ତି। ଇନଷ୍ଟାଗ୍ରାମରେ ଏହି ଫେକ୍ ରିପୋର୍ଟର ସ୍କ୍ରିନସଟ ଶେୟାର କରି ମିଷ୍ଟି କହିଛନ୍ତି, ‘କିଛି ମିଡିଆ ରିପୋର୍ଟ ଅନୁଯାୟୀ ମୁଁ ଆଜି ମରିଗଲି। ଭଗବାନଙ୍କ ଦୟାରୁ ମୁଁ ଜୀବିତ ଏବଂ ଭଲ ଅଛି। ମୋତେ ବହୁତ ଆଗକୁ ଯିବାକୁ ପଡିବ। ମିଷ୍ଟି ୨୦୧୪ରେ ବଙ୍ଗଳା ଚଳଚ୍ଚିତ୍ର ’ପୋରିଚୋଇ’ରେ ଡେବ୍ୟୁ କରିଥିଲେ। ଏହା ପରେ ସେ ସୁଭାଷ ଘାଇଙ୍କ ଫିଲ୍ମ ‘କାଞ୍ଚି: ଦ ଅନବ୍ରେକେବଲ୍’ ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ବ୍ୟତୀତ ମିଷ୍ଟି ‘ଗ୍ରେଟ ଗ୍ରାଣ୍ଡ ମସ୍ତି’, ‘ବେଗମ ଜାନ’ ଏବଂ ‘ମଣିକର୍ଣ୍ଣିକା’ ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ତାମିଲ, ତେଲୁଗୁ ଏବଂ ମାଲାୟାଲମ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।