ସରକାରୀ ଦସ୍ତାବିଜ୍‌ ସହ ସୂଚନା ଅଧିକାର ତଥ୍ୟ ଅମେଳ

ମାଲକାନଗିରି, ୨୩।୧୧(ଡି.ଏନ.ଏ.): ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲାର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଗୁରୁତ୍ୱ ଦେଉଛନ୍ତି। ଜିଲାର ଗ୍ରାମାଞ୍ଚଳଗୁଡିକରେ ଯୋଗାଯୋଗ ସୁବିଧା ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ଯେଉଁ ରାସ୍ତା ହେଉଛି ତାହା କେତେ ଦୂର ଠିକ୍‌ ହେଉଛି ତାହା ତଦାରଖ ହେଉନାହିଁ। ଅନ୍ୟପକ୍ଷରେ କେତେକ ରାସ୍ତା ନିର୍ମାଣ ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ଶେଷ ହେଉନାହିଁ। ଏଥିପାଇଁ ସାଧାରଣ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିବାଡାଠାରୁ ପିତାକୋଣ୍ଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ୱାରା ୩୮ କିଲୋମିଟର ରାସ୍ତା ନିର୍ମାଣ କ୍ଷେତ୍ରରେ। ଏହି ୩୮ କିଲୋମିଟର ରାସ୍ତାକୁ ୩ଟି ଭାଗ କରି ନିର୍ମାଣ କରାଯାଉଛି। ଦୀର୍ଘ ୪ବର୍ଷ ହେବ ଏହାର ନିର୍ମାଣ ଚାଲିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଫଳରେ ସେହି ଅଞ୍ଚଳରେ ରହୁଥିବା ଗ୍ରାମଗୁଡିକର ଗ୍ରାମବାସୀ ସମସ୍ୟା ଭୋଗୁଛନ୍ତି। ସ୍କୁଲ ଓ କଲେଜ ଯାତାୟାତ କରୁଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁ ରାସ୍ତା ନିର୍ମାଣ ହେଉଛି ତାହା ନିମ୍ନମାନର ହେଉଥିବା ସୁଧାଂଶୁ ଶେଖର ପାଢୀ, ଜଗନ୍ନାଥ ସାହୁ, ଏମ୍‌ଭି-୧୨୦ର ରାଜେଶ ବେପାରୀ, ନିରଞ୍ଜନ ବିଶୋୟୀଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଏହି ରାସ୍ତାର ସମ୍ପୂଣ୍ଣ ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ଅନୁଯାୟୀ ମଗାଯାଇଥିବା ତଥ୍ୟ ସହ ସରକାରୀ ଦସ୍ତାବିଜ ମେଳ ଖାଉନାହିଁ। ବେଜାଙ୍ଗିବାଡାଠାରୁ ପିତାକୋଣ୍ଡା ରାସ୍ତା ଭାଗ-୧ରେ ସରକାରୀ ତଥ୍ୟରେ ୧୧ କୋଟି ୯୮ ଲକ୍ଷ ୨୪ ହଜାର ଖର୍ଚ୍ଚ ହୋଇଥିବା ବେଳେ ସୂଚନା ଅଧିକାରୀ ଆଇନରେ ମଗାଯାଇଥିବା ତଥ୍ୟରେ ୧୦ କୋଟି ୨୫ ଲକ୍ଷ ୩୪ ହଜାର ଟଙ୍କା ଦର୍ଶାଯାଇଛି। ସେହିପରି ଭାଗ-୨ରେ ସରକାରୀ ତଥ୍ୟ ଅନୁଯାୟୀ ୧୪ କୋଟି ୨୨ ଲକ୍ଷ ୫୬ ହଜାର ଟଙ୍କା ଖର୍ଚ୍ଚ ଦର୍ଶାଯାଇଥିବା ବେଳେ ସୂଚନା ଅଧିକାର ତଥ୍ୟରେ ୧୨ କୋଟି ୧୭ ଲକ୍ଷ ୩୦ ହଜାର ଦର୍ଶାଯାଇଛି। ସେହିପରି ତୃତୀୟ ଭାଗରେ ସରକାରୀ ତଥ୍ୟରେ ୧୧ କୋଟି ୫୬ ଲକ୍ଷ ୮୨ ହଜାର ଟଙ୍କା ରହିଥିବା ବେଳେ ସୂଚନା ଆଇନରେ ମିଳିଥିବା ତଥ୍ୟରେ ତାହା ୯ କୋଟି ୮୯ ଲକ୍ଷ ୯୦ ହଜାର ଦର୍ଶାଯାଇଛି। ତେବେ ସରକାରଙ୍କ ଦସ୍ତାବିଜ ଠିକ୍‌ ନା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଠିକ୍‌ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ମାଲକାନଗିରି ପୂର୍ତ୍ତ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ନିହାର ରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଲେ, ଏହି କାମକୁ ୩ଟି ଭାଗରେ ବିଭକ୍ତ କରାଯାଇ ରାସ୍ତା କରାଯାଉଛି। ଯେଉଁ ରାସ୍ତା ଖରାପ ମାନର କାମ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ସେ ନିଜେ କାର୍ଯ୍ୟସ୍ଥଳରେ ତଦନ୍ତ କରିବେ। ଏହି ରାସ୍ତା ସମ୍ବନ୍ଧରେ ନୀଳାଦ୍ରିନଗର ପ୍ରଭୃତି ଅଞ୍ଚଳବାସୀ ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।