ମିସ୍‌ ଥାଇଲାଣ୍ଡ ପାଇଁ ଚାଲିଥିଲା ଫଟୋସୁଟ୍‌: ଅଚାନକ ପାଣିରେ ଖସିପଡିଲେ ମଡେଲ

ବ୍ୟାକଂକ,୧୦।୧୨: ନିକଟରେ ଥାଇଲାଣ୍ଡରେ ମିସ୍‌ ଥାଇଲାଣ୍ଡ ପ୍ରତିଯୋଗିତାରେ ଅନେକ ମଡେଲଙ୍କ ଏକ ଫଟୋସୁଟ୍‌ ଚାଲିଥିଲା। ହେଲେ ସେହି ସମୟରେ ହଠାତ୍‌ ଏକ ଦୁର୍ଘଟଣା ଘଟିଥିଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ମିସ୍‌ ଥାଇଲାଣ୍ଡ ପ୍ରତିଯୋଗିତା ପାଇଁ ଦେଶର ଅନେକ ସୁନ୍ଦର ମଡେଲ ଆବେଦନ କରିଥିଲେ। ଥାଇଲାଣ୍ଡର ଚାଙ୍ଗ ମଇରେ ଥିବା ଏକ କାଫେରେ ମନୋନୀତ ହୋଇଥିବା ୩୦ ମଡେଲଙ୍କ ଫଟୋସୁଟ କରାଯାଇଥିଲା। ସୁଇମିଂ ପୁଲ ଉପରେ ଥିବା ଏକ ଅସ୍ଥାୟୀ ବ୍ରିଜ୍‌ ଉପରେ ମଡେଲମାନେ ନିଜର ଫଟୋସୁଟ କରାଉଥିଲେ। ହେଲେ ଅଚାନକ୍‌ ପୋଲଟି ଭାଙ୍ଗିପଡ଼ିବାରୁ ପ୍ରାୟ ୩୦ଜଣ ମଡେଲ ପାଣି ତଳକୁ ଖସିପଡ଼ିଥିଲେ। ସଙ୍ଗେ ସଙ୍ଗେ ଉକ୍ତ ମଡେଲଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇଥିଲା।

ଏହା ସତ୍ତ୍ୱେ ବି ଏହି ଦୁର୍ଘଟଣାରେ ୩ଜଣ ମଡେଲ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିଲେ। ତେବେ ସମସ୍ତ ଆହତ ମଡେଲଙ୍କୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସା କରାଯାଇଥିବା ସୂଚନା ରହିଛି। ଅପରପକ୍ଷେ କାଫେର ମାଲିକ କହିଛନ୍ତି, ପୋଲଟି ମଜଭୁତ ରହିଥିଲା କିନ୍ତୁ ଓଜନ ଅଧିକା ହେବାରୁ ଏହି ଅଘଟଣ ଘଟିଛି।

ତେଣୁ ସେ ମଡେଲମାନଙ୍କ ଚିକିତ୍ସା ପାଇଁ ପ୍ରାୟ ୧୨,୨୪,୧୮୮ ଟଙ୍କା ଦେଇଥିବା ଜଣାପଡିଛି। ପୂର୍ବରୁ ମିସ୍‌ ଥାଇଲାଣ୍ଡ ପ୍ରତିଯୋଗିତା ବ୍ୟାକଂକରେ ଆୟୋଜିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଚାଙ୍ଗ ମଇରେ ଆୟୋଜିତ ହୋଇଛି ବୋଲି ଉକ୍ତ ପ୍ରତିଯୋଗିତାର ନିର୍ଦ୍ଦେଶକ କହିଛନ୍ତି।

Share