ମିଲିଟାରୀ କ୍ୟାମ୍ପ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼, ୧୦୦ରୁ ଅଧିକ ସୈନ୍ୟ ନିହତ…

କ୍ୱିଭ୍‌,୨୧।୩ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ରୁଷିଆ ଗଣମାଧ୍ୟମ ସ୍ପୁଟ୍ନିକ ଦାବି କରିଛି ଯେ ୟୁକ୍ରେନ୍‌ର ଜାଇଟୋମିର ଅଞ୍ଚଳର ଏକ ମିଲିଟାରୀ କ୍ୟାମ୍ପ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏଥିରେ ୧୦୦ରୁ ଅଧିକ ୟୁକ୍ରେନ ଏବଂ ବିଦେଶୀ ସୈନିକ ନିହତ ହୋଇଛନ୍ତି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇଗୋର କୋନାଶେକୋଭ ଏକ ବିବୃତ୍ତିରେ କହିଛନ୍ତି ଯେ ଯୁଦ୍ଧର ୨୬ ମଧ୍ୟରେ ଦିନରେ ୟୁକ୍ରେନ ବହୁ କ୍ଷତି ହୋଇଛି।

ଅପରପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଆଲୋଚନା ବିଫଳ ହୁଏ ତେବେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ।

ୟୁକ୍ରେନ ସରକାର ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ରୁଷିଆ ସୈନ୍ୟଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍‌ ସରକାରଙ୍କ ଦାବି ଅନୁଯାୟୀ ଏପର୍ଯ୍ୟନ୍ତ ରୁଷିଆର ୧୪୭୦୦ ସୈନ୍ୟ ନିହତ ହୋଇଛନ୍ତି। ଏହା ବ୍ୟତୀତ ୯୬ ବିମାନ, ୧୧୮ ହେଲିକପ୍ଟର, ୪୭୬ ଟ୍ୟାଙ୍କ, ୨୧ ଟି ୟୁଏଭି, ୧୪୮୭ ସାମରିକ ଯାନ, ୪୪ ଟି ଆଣ୍ଟି ଏୟାରକ୍ରାଫ୍ଟ ଧ୍ୱଂସ ହୋଇଛି।

Share