ଦାଦନ ଖଟିବାକୁ ଯାଇ ମିଳୁନି ଶ୍ରମିକଙ୍କ ପତ୍ତା: ଥାନାରେ ମାମଲା

ନୂଆପଡ଼ା ଅଫିସ,୧୩।୨: ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡ଼ା ଗାଁର ଜଣେ ଦାଦନ ଶ୍ରମିକ ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ। ସେ ଏକ ଇଟାଭାଟିରେ କାମ କରୁଥିବା ବେଳେ ବର୍ତ୍ତମାନ ତାଙ୍କର କୌଣସି ପତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି। ସେ ହେଲେ ଦର୍ଲିପଡ଼ା ଗାଁର ଲଖି ଧରୁଆ(୪୫)।

ମିଳିଥିବା ସୂଚନା ମୁତାବକ, ୨୦୨୨ ଡିସେମ୍ବରରେ ସ୍ଥାନୀୟ ଦାଦନ ସର୍ଦ୍ଦାରଙ୍କ ସାହାଯ୍ୟରେ ଦର୍ଲିପଡ଼ା ଅଞ୍ଚଳର କେତେଜଣ ଦାଦନ ଶ୍ରମିକ ତେଲଙ୍ଗାନାର ପଠାନଚୋର ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ସେଠାରେ ଗୋଟିଏ ମାସ କାମ ପରେ ଲଖି କେଉଁ ଆଡ଼େ ଚାଲିଗଲେ। ସାଙ୍ଗରେ ଯାଇଥିବା ଅନ୍ୟ ଶ୍ରମିକମାନେ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ଖବର ମିଳିନାହିଁ।

ଲଖିଙ୍କ ସବୁ ଜିନିଷପତ୍ର ଇଟାଭାଟିରେ ରହିଛି। ହେଲେ ତାଙ୍କ ପତ୍ତା ମିଳୁ ନ ଥିବା ପରିବାର ଲୋକେ ଖବର ପାଇ ଶ୍ରମିକ ଦଲାଲଙ୍କୁ ଫୋନ୍‌ କରି କହିଲେ। ଶ୍ରମିକ ଦଲାଲ ଖୋଜାଖୋଜି କରୁଛୁ ବୋଲି କହିଥିଲେ। ବର୍ତ୍ତମାନ ପରିବାର ଲୋକେ ଫୋନ୍‌ କଲେ ଶ୍ରମିକ ଦଲାଲ ଫୋନ୍‌ ରିସିଭ କରୁ ନ ଥିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ପରିବାର ଲୋକେ ଶ୍ରମିକ ଦଲାଲଙ୍କ ନାମରେ ତରବୋଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ତରବୋଡ଼ ଫାଣ୍ଡି ଅଧିକାରୀ ସହଦେବ ଜୋଷୀଙ୍କୁ ପଚାରିବାରୁ ଇଟାଭାଟି ମାଲିକଙ୍କ ସହ ଫୋନ୍‌ରେ କଥା ହୋଇଥିବା କହିଛନ୍ତି। ଏପରି କି ଅଭିଯୋଗ ମୁତାବକ ପୋଲିସ ଘଟଣାର ତଦନ୍ତ ଚଳାଇଥିବା କହିଛନ୍ତି। ଖୋଜାଖୋଜି କରୁଛୁ କହିଥିବା ବୋଲି ପ୍ରକାଶ କରିଥିଲେ।

Share