ନିଖୋଜ ଦିବ୍ୟାଙ୍ଗ ପୁଅ ଫଟୋ ଧରି ଗଞ୍ଜାମରୁ ଭୁବନେଶ୍ୱର

ଭୁବନେଶ୍ୱର,୨୭।୬(ସୂର୍ଯ୍ୟକାନ୍ତ ବେହେରା): ୬ଦିନ ହେବ ଦିବ୍ୟାଙ୍ଗ ପୁଅ ଘରୁ କେଉଁଆଡେ ପଳାଇଛନ୍ତି। ହେଲେ ପୁଅକୁ ଖୋଜି ଖୋଜି ଶ୍ରମିକ ଦମ୍ପତି ଗଞ୍ଜାମରୁ କଟକ ଓ ଏବେ ଭୁବନେଶ୍ୱରର ଗଳିକନ୍ଦି ବୁଲି ଖୋଜୁଛନ୍ତି। ପୁଅର ଫଟୋ ଦେଖାଇ ଲୋକଙ୍କୁ ନେହୁରା ବି ହେଉଛନ୍ତି। ପୁଅ ପାଠ ପଢ଼ିନି କି ଦୁଇ ଅକ୍ଷର ଲେଖି ଜାଣେନି। ଏପରି କି ସେ କଥା କହିପାରେ ନାହିଁ କି ଠିକ୍‌ ଭାବେ ଶୁଣିପାରେ ନାହିଁ। କିଭଳି ଘରର ଠିକଣା ଲୋକଙ୍କୁ କହିବ, ତାକୁ ନେଇ ମା’ କଏତି ଦୋରା ଓ ବାପା ରଘୁ ଚିନ୍ତାରେ ରହିଛନ୍ତି। ଏସବୁ କଥା କହି ମା’ବାପା କାନ୍ଦିବା ସହ ପୋଲିସ୍‌ ସହଯୋଗ କଲେ ଆମ ପୁଅକୁ ଫେରି ପାଇବୁ ବୋଲି ସେମାନେ କହିଛନ୍ତି।
ସେମାନଙ୍କ ସୂଚନା ମୁତାବକ, କଏତି ଓ ରଘୁଙ୍କ ଘର ଗଞ୍ଜାମ ଜିଲା ସୁମଣ୍ଡଳ ବେଗୁନିଆପଡ଼ାରେ। ନିଖୋଜ ନାବାଳକ ପୁଅ ହେଲେ ୧୭ ବର୍ଷୀୟ ବଳିଆ ଦୋରା। ରଘୁ ଗାଁରେ ମଜୁରି ଖଟୁଥିବାବେଳେ ବଡ଼ ପୁଅ ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରୁଛନ୍ତି। ଘଟଣା ଦିନ ବଳିଆ ତାଙ୍କ ମା’ଙ୍କୁ ବଟିକା ଦେଇସାରିବା ପରେ ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ। ପୁଅକୁ ନ ପାଇ ପରିବାର ବ୍ୟତିବ୍ୟସ୍ତ ହୋଇପଡିଥିଲେ। ତେବେ ସେ ଟ୍ରେନରେ ବସି କଟକରେ ପହଞ୍ଚତ୍ଥିବା ଗାଁ ଲୋକ ଦେଖିଥିବା କହିବାରୁ ସେମାନଙ୍କ ମନରେ ପୁଅକୁ ପାଇବା ଆଶା ସଞ୍ଚାରିତ ହୋଇଥିଲା। ଏହାପରେ ପୁଅକୁ ଖୋଜିବାକୁ ରଘୁ ଓ କଏତି କଟକ ଆସିଥିଲେ। ରେଳଷ୍ଟେଶନ ସହ ସହରର ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରି ନ ପାଇବାରୁ ଭୁବନେଶ୍ୱର ଆସି ଖୋଜାଖୋଜି କରୁଛନ୍ତି। ସେ ପିଲାଟି ଦିନରୁ ମୂକ ଓ ବଧିର ଥିବାରୁ ପାଠ ପଢ଼ିନାହାନ୍ତି। ତେଣୁ କିଭଳି ଓ କେଉଁ ଅବସ୍ଥାରେ ଥିବ ତାକୁ ନେଇ ବାପା-ମା’ ଚିନ୍ତାରେ ପଡିଯାଇଛନ୍ତି । ଅନ୍ୟପଟେ ପୁଅର ନିଖୋଜ ସଂକ୍ରାନ୍ତରେ ଗଞ୍ଜାମ ଓ କଟକ ପୋଲିସକୁ ଜଣାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନ ଥିବା ସେମାନେ କହିଛନ୍ତି।

Share