
ଦିଗପହଣ୍ଡି,୧୦ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ପଞ୍ଚାୟତ ଗୁଣସାଗର ଗ୍ରାମ ନିକଟ ଚାଷଜମିରୁ ଗୁରୁବାର ସକାଳେ ଜଣେ ବୃଦ୍ଧ ଚାଷୀଙ୍କ ଗଳିତ ମୃତଦେହ ପାଟପୁର ପୋଲିସ ଉଦ୍ଧାର କରିଛି। ମୃତ ଚାଷୀ ଜଣକ ହେଲେ ଗୁଣସାଗର ଗ୍ରାମର ଉଦୟ ନାହାକ (୬୪)। ସେ ଗତ ମଙ୍ଗଳବାର ସକାଳୁ ନିଖୋଜ ଥିଲେ। ବାର୍ହା ଉପଦ୍ରବରୁ ଫସଲ ରକ୍ଷା କରିବା ନିମନ୍ତେ ଭୋରରୁ ଚାଷଜମିକୁ ଯାଇଥିଲେ ଉଦୟ। ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ୨ ଦିନ ହେଲା ସେ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ଗୁରୁବାର ସକାଳେ ଗ୍ରାମର କିଛି ବ୍ୟକ୍ତି ଏକ ଚାଷଜମିରେ ତାଙ୍କ ଗଳିତ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ବାର୍ହା ଆକ୍ରମଣରେ ତାଙ୍କ ମୃତ୍ୟୁ ଘଟିବା ପରେ କୌଣସି ବନ୍ୟଜନ୍ତୁ ତାଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ଖାଇ ଦେଇଥିବା ଲୋକେ ସନ୍ଦେହ କରିଛନ୍ତି। ପରେ ଖବରପାଇ ପାଟପୁର ଥାନା ପୋଲିସ ଟିମ୍ ଏବଂ ବନ ବିଭାଗ କର୍ମଚାରୀବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୋଲିସ ମୃତଦେହ ଜବତ କରି କେସ୍ ନଂ ୭/୧୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତଦେହ ଗାଁରେ ପହଞ୍ଚିବା ପରେ ମଧ୍ୟାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପାଟପୁର ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା କହିଛନ୍ତି।