ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବା ସମୟରେ ନିଖୋଜ ଯୁବତୀଙ୍କୁ ଅପହରଣ, ବଳତ୍କାର ଏବଂ ହତ୍ୟା ଉଦ୍ୟମ ମାମଲାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ଉକ୍ତ ମାମଲାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି।
ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ସିଧାସଳଖ ବିଜେଡ଼ିକୁ ଟାର୍ଗେଟ୍ କରିଛନ୍ତି। ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବକ ଜଣକ ଜଣେ ପୂର୍ବତନ ସରପଞ୍ଚ ତଥା ବିଜେଡ଼ିର ବରିଷ୍ଠ ସଦସ୍ୟଙ୍କ ପୁତୁରା ବୋଲି ସେ କହିଛନ୍ତି। ଏହି ଦୃଷ୍ଟିରୁ ଘଟଣା ଦିନଠାରୁ ସମ୍ପୃକ୍ତ ଅଭିଯୁକ୍ତ କିମ୍ବା ତାଙ୍କ ସମ୍ପର୍କୀୟଙ୍କଠାରୁ କାହା ପାଖକୁ ଫୋନ୍କଲ୍ ଆସିଛି, ତାହା ଟ୍ରାକ୍ କରାଯିବା ସହିତ ସାମ୍ନାକୁ ଅଣାଯାଉ ବୋଲି ଷଡ଼ଙ୍ଗୀ କହିଛନ୍ତି।
ଅନ୍ୟପକ୍ଷେ ସୋମବାର ମୁଖ୍ୟ ଅଭିଯୁକ୍ତଙ୍କୁ ଫେରାର୍ କରାଇବାରେ ସହଯୋଗ କରିଥିବା ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପରେ ବରଗଡ଼ ବିଧାୟକ ଷଡ଼ଙ୍ଗୀଙ୍କୁ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ କଡ଼ା ଜବାବ୍ ଦେଇଛନ୍ତି। ସେ କହିଛନ୍ତି, ଶାସକ ଦଳର ବରଗଡ଼ ବିଧାୟକ ଷଡ଼ଙ୍ଗୀ ବିଜେଡ଼ିକୁ ଆକ୍ଷେପ କରି ଗଣମାଧ୍ୟମକୁ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ପ୍ରକୃତରେ ଅନୁସନ୍ଧାନ କରି ତଥ୍ୟ ସହିତ ସେ ସେଭଳି ପ୍ରତିକୟା ରଖନ୍ତୁ।
ମୁଖ୍ୟ ଅଭିଯୁକ୍ତଙ୍କୁ ଫେରାର୍ କରାଇବାରେ ସହଯୋଗ କରି ଗିରଫ ହୋଇଥିବା ସର୍ଜନ ଡନସନା ଭାଜପାର ଜଣେ କାର୍ଯ୍ୟକର୍ତ୍ତା। ତାର ତଥ୍ୟ ଫଟୋ ପାଖରେ ଅଛି କହି ସେଭଳି କିଛି ଫଟୋ ମଧ୍ୟ ଦେବେଶ ଦେଖାଇଥିଲେ। କେଉଁ ଆଧାରରେ ବରଗଡ଼ ବିଧାୟକ ବିଜେଡ଼ିକୁ ଆକ୍ଷେପ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ସେଭଳି ମନ୍ତବ୍ୟକୁ ବିଜେଡ଼ି ନିନ୍ଦା କରୁଛି ବୋଲି ଦେବେଶ କହିଛନ୍ତି।
ଭାଜପା ସବୁବେଳେ ଗୁଣ୍ଡାମାନଙ୍କୁ ପ୍ରଶ୍ରୟ ଦେଇ ଆସୁଛି। ପୂର୍ବତନ ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଏଭଳି ଘଟଣାରେ ପୋଲିସ ପାଖରେ ତଥ୍ୟ ଥିବା ସତ୍ତ୍ୱେ ରାଜ୍ୟପାଳଙ୍କ ପୁଅଙ୍କୁ ଛାଡ଼ି ଦେଇଥିବା ଯୋଗୁ ରାଜ୍ୟରେ ସେଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି ଦେବେଶ କହିଛନ୍ତି।