ବାଲେଶ୍ୱର ଅଫିସ, ୨।୨: ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ ମଙ୍ଗଳବାର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ବେଳେ ସରୋଜିନୀ, ଏକ ଜମିଜମା ଗଣ୍ଡଗୋଳର ସମାଧାନ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣାରେ ଏସ୍ଆଇ ବିମଳ କର ଓ ମଧ୍ୟସ୍ଥିଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଗତ ଜୁଲାଇ ମାସରେ ଭିଜିଲାନ୍ସ କେସ୍ ନଂ. ୧୯/୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ପରେ ୧୬୪ ଧାରାରେ ବୟାନ ରେକର୍ଡ ବେଳେ ସରୋଜିନୀଙ୍କ ନାମ ଆସିଥିଲା। ଜୁଲାଇ ମାସରୁ ସରୋଜିନୀ ଛୁଟିରେ ଥିବାବେଳେ ଆଜି ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରି ନିଜର ସମସ୍ତ କାଗଜପତ୍ର ଦାଖଲ କରିଥିବା ଜଣାପଡ଼ିଛି।