ନିଖୋଜ ସରପଞ୍ଚ ପ୍ରାର୍ଥୀ ଶ୍ୱଶୁରଘରୁ ଉଦ୍ଧାର

ଛେଣ୍ଡିପଦା,୧୦ା୨(ସ୍ବ.ପ୍ର.)  ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ନିଖୋଜ ହେବାର ୧୨ ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି। ଛେଣ୍ଡିପଦା ପୋଲିସ ବୁଧବାର ମନୋଜଙ୍କୁ ତାଙ୍କ ଶ୍ୱଶୁର ଘରୁ ଉଦ୍ଧାର କରିଛି। ନିର୍ବାଚନରେ ହାରିଯିବା ଭୟରେ ସେ ନିଜେ ଅପହରଣର ମିଛ ନାଟକ କରି ଶ୍ୱଶୁରଘରକୁ ଚାଲିଯାଇଥିଲେ। ପଚରାଉଚରା ବେଳେ ମନୋଜ ପୋଲିସ ସମ୍ମୁଖରେ ଏହା ପ୍ରକାଶ କରିଥିବା ଥାନା ଅଧିକାରୀ ଧୀରେନ କୁମାର ବେହେରା ସୂଚନା ଦେଇଛନ୍ତି। ରାତିରେ ତାଙ୍କୁ ପରିବାର ଲୋକଙ୍କ ଜିମା ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।
ପ୍ରକାଶ ଯେ, ପ୍ରଚାର ପାଇଁ ଯାଇଥିବା ମନୋଜଙ୍କ ମଙ୍ଗଳବାର ରାତିରେ ଖୋଜଖବର ନ ମିଳିବାରୁ ତାଙ୍କ ପରିବାର ପକ୍ଷରୁ ରାତି ୯ଟା ବେଳେ ଛେଣ୍ଡିପଦା ଥାନାରେ ଅପହରଣ ଅଭିଯୋଗ କରାଯାଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ ପୋଲିସ ନଂ. ୭/୨୨ରେ ମାମଲା ରୁଜୁ କରିବା ସହିତ ଦୁଇଟି ଟିମ୍‌ ଗଠନ କରି ତଦନ୍ତ ଚଳାଇଥିଲା। ମୋବାଇଲ ଟ୍ରାକିଂରୁ ସେ ସମ୍ବଲପୁର ଜିଲା ନାକିଟିଦେଉଳ ଥାନା ସାହେବ ଅଞ୍ଚଳରେ ଥିବା ପୋଲିସ ପ୍ରଥମେ ଜାଣିବାକୁ ପାଇଥିଲା। ତେବେ ମନୋଜ ତାଙ୍କ ଶ୍ୱଶୁର ଘର ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ସଙ୍ଗାପଶି ଗ୍ରାମରେ ଥିବା ବୁଧବାର ସକାଳେ ଖବରପାଇ ଛେଣ୍ଡିପଦା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାକୁ ଯାଇ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ପୋଲିସ ପଚରାଉଚରା କରିଥିଲା। ପ୍ରଥମେ ମନୋଜ ଅପହରଣ ନେଇ ମନଗଢ଼ା କାହାଣୀ ଶୁଣାଇଥିଲେ। କେତେଜଣ ଯୁବକ ତାଙ୍କୁ ଅପହରଣ କରି ଜଙ୍ଗଲକୁ ନେଇଯାଇଥିଲେ ଓ ସେଠାରେ ନିର୍ବାଚନରୁ ଓହରିଯିବାକୁ ଧମକ ଦେଇଥିଲେ। ଏପରିକି ଦୁଇ ପୁଅଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିବା ମନୋଜ କହିଥିଲେ। ହେଲେ ପରେ ସତକଥା ମାନିଯାଇଥିଲେ। ନିର୍ବାଚନରେ ହାରିଯିବା ଭୟରେ ସେ ନିଜେ ଏହି ଅପହରଣର ମିଛ ନାଟକ କରିଥିବା ପୋଲିସକୁ କହିଥିଲେ। ମନୋଜଙ୍କ ମୋବାଇଲ କଲ ରେକର୍ଡ ଡିଟେଲସ ମଗାଯାଇଥିବାରୁ ତାହା ଆସିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।