Categories: ଜାତୀୟ

ମିଶନ-୨୦୨୪, ଲୋକ ସଭା-ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ଥାୟୀ ନେତା ନିଯୁକ୍ତ କରିବ କଂଗ୍ରେସ…

ନୂଆଦିଲ୍ଲୀ, ୧୮।୫ : ଦେଶର ପ୍ରତ୍ୟେକ ଲୋକ ସଭା ତଥା ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ଥିତି ଉପରେ ନଜର ରଖିବା ପାଇଁ କଂଗ୍ରେସ ପୂର୍ଣ୍ଣକାଳୀନ ନେତାଙ୍କ ସ୍ଥାୟୀ ନିଯୁକ୍ତି କରିବ। ମିଶନ-୨୦୨୪ ଅନ୍ତର୍ଗତ ଏଭଳି ରଣନୀତି କଂଗ୍ରେସ ପକ୍ଷରୁ ଗ୍ରହଣ କରାଯାଇଛି। ନେତା ସଂପୃକ୍ତ ଅଞ୍ଚଳର ସାମାଜିକ, ଭୌଗୋଳିକ, ରାଜନୈତିକ ସହିତ ଧାର୍ମିକ, ସମ୍ପ୍ରଦାୟ ସମୀକରଣ ଏବଂ ସ୍ଥାନୀୟ ସମସ୍ୟା ବିଷୟରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅବଗତ କରାଇବେ। ତେବେ ଟିକେଟ ସ୍ଥିର କରିବାରେ ସେମାନଙ୍କର କୌଣସି ଭୂମିକା ରହିବ ନାହିଁ।

ଏହି ପଦବୀଗୁଡିକରେ ପ୍ରାୟ ସାଢ଼େ ଛଅ ହଜାର କର୍ମୀଙ୍କୁ ନିଯୁକ୍ତ କରାଯିବ। ଦଳ ଏହି ପୂର୍ଣ୍ଣକାଳୀନ ଅଫିସ ଧାରକଙ୍କ ସାହାଯ୍ୟରେ ସାଂଗଠନିକ ଢାଞ୍ଚାକୁ ମଜବୁତ କରିବ। ରାଜ୍ୟଗୁଡ଼ିକର ସାଧାରଣ ସଚିବ ଏବଂ ସଚିବମାନଙ୍କ କାର୍ଯ୍ୟର ନିରନ୍ତର ସମୀକ୍ଷା ହେବ। ସମଗ୍ର ଦେଶରେ ସଂଗଠନର ସମସ୍ତ ଖାଲି ପଦଗୁଡିକ ତିନିରୁ ଛଅ ମାସ ମଧ୍ୟରେ ପୂରଣ ହେବ। ସାଧାରଣ ସଚିବ ଏବଂ ଇନ-ଚାର୍ଜର ବୈଠକ ଉଦୟପୁର ହେବା ପରେ ମହାସଚିବ ଅଜୟ ମାକେନ କହିଛନ୍ତି ଯେ ଶିବିରର ଛୋଟ ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ ହେବ।

ରାଜନୈତିକ ଲାଭ ଏବଂ କ୍ଷତି ଆଦର୍ଶ ପ୍ରତି ପ୍ରତିବଦ୍ଧ ଦଳ ପାଇଁ ମାନଦଣ୍ଡ ନୁହେଁ। ଧନୀ-ଗରିବ ବ୍ୟବଧାନ, ଧାର୍ମିକ ଭେଦଭାବ ଦ୍ୱାରା ନକାରାତ୍ମକ ପ୍ରଭାବ ପଡ଼ିଥାଏ। ସେଥିପାଇଁ ଭାରତ ଯୋଡ଼ୋ ସ୍ଲୋଗାନ ଗ୍ରହଣ କରାଯାଇଛି। ପାଞ୍ଚ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କେହି କୌଣସି ପଦବୀରେ ରହି ପାରିବେ ନାହିଁ। ବର୍ଷରେ ଥରେ ଏଆଇସିସିର ଅଧିବେଶନ ଅନୁଷ୍ଠିତ ହେବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

Share