Categories: ଜାତୀୟ

ମିଶନ ୨୦୨୪, ସୋନିଆ-ପିକେ ଭେଟ…

ନୂଆଦିଲ୍ଲୀ, ୧୬।୪ : ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ଭେଟେରାନଙ୍କ ସହ ଚାରି ଘଣ୍ଟିଆ ମାରାଥନ ବୈଠକରେ ପ୍ରଶାନ୍ତ କିଶୋର(ପିକେ) ୨୦୨୪ ଲୋକସଭା ନିର୍ବାଚନର ଉପସ୍ଥାପନା କରିଛନ୍ତି। ଦଳ ଭିତରେ ସଂସ୍କାର ଆଣିବା ପାଇଁ କଣ କରାଯିବା ଆବଶ୍ୟକ ତାହା ମଧ୍ୟ ବିସ୍ତୃତ ଭାବେ ସୂଚିତ କରିଛନ୍ତି।

କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ପ୍ରଶାନ୍ତ କିଶୋରଙ୍କୁ ଦଳରେ ଯୋଗଦେବାକୁ କିମ୍ବା ପରାମର୍ଶଦାତା ଭାବରେ କାର୍ଯ୍ୟ କରିବାକୁ କୁହାଯାଇ ନାହିଁ। କଂଗ୍ରେସ ଦଳରେ ଯୋଗଦେବାକୁ କିଶୋର ମଧ୍ୟ ଆଗ୍ରହ ଦେଖାଇଛନ୍ତି।

ଶନିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ କିଶୋରଙ୍କ ସହ ଦଳର ଭେଟେରାନ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏନଡିଟିଭି ଅନୁଯାୟୀ କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଚାରି ଘଣ୍ଟିଆ ମାରାଥନ ବୈଠକରେ ପ୍ରଶାନ୍ତ କିଶୋର ମିଶନ ୨୦୨୪ ଉପରେ ବିସ୍ତୃତ ଉପସ୍ଥାପନା କରିଛନ୍ତି ଏବଂ ତାଙ୍କ ପରାମର୍ଶ ଏବଂ ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଏକ ଛୋଟ କମିଟି ଗଠନ କରାଯିବ।

କଂଗ୍ରେସକୁ ପୁନର୍ଜୀବିତ କରିବାର ଲକ୍ଷ୍ୟ ନେଇ ବୈଠକରେ ଚର୍ଚ୍ଚା ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ସମେତ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପିକେ କଂଗ୍ରେସକୁ ପୁନର୍ଜୀବିତ କରିବା ବିଷୟରେ କହିଛନ୍ତି। ଏହି ପ୍ରସଙ୍ଗରେ ପ୍ରଶାନ୍ତ କିଶୋର ସୋନିଆ ଗାନ୍ଧୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ପ୍ରକାଶ ଥାଉକି, ଚଳିତ ବର୍ଷ ଶେଷ ହେବାକୁ ଥିବା ଗୁଜରାଟ ନିର୍ବାଚନ ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି।

Share