Categories: ଜାତୀୟ

ମିଶନ ୨୦୩୦: ଅଶୋକ ଗେହଲଟଙ୍କ କାର୍ଯ୍ୟକ୍ରମରେ ସୋନିଆ-ରାହୁଲଙ୍କ ଫଟୋ ଗାଏବ…

ଜୟପୁର,୨୨।୮ : କଂଗ୍ରେସ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକର ମୁଖ୍ୟ ଭୂମିକାରେ ଗାନ୍ଧୀ ପରିବାର ରହିଥିବା ଅଭିଯୋଗ ଭାଜପା ତଥା ଅନ୍ୟ ବିରୋଧୀ ଦଳଙ୍କ ପକ୍ଷରୁ କରାଯାଇଥାଏ। ଯୋଜନାଗୁଡିକ କଂଗ୍ରେସ ସରକାରଙ୍କ ନାମରେ ନାମିତ ହୋଇଥିବାବେଳେ ଏହାର ଫାଇଦା ମଧ୍ୟ କଂଗ୍ରେସ ନେଇଥାଏ। କିନ୍ତୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରଙ୍କ କାର୍ଯ୍ୟକ୍ରମ ମିଶନ ୨୦୩୦ ଏକ ଭିନ୍ନ ରଣନୀତି ଉପସ୍ଥାପନ କରୁଛି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଫଟୋ ଏହି କାର୍ଯ୍ୟକ୍ରମରେ ନାହିଁ। ଜୟପୁରର ବିର୍ଲା ଭବନରୁ ଜୟପୁର ରାସ୍ତା କଡ଼ରେ କେବଳ ଗେହଲଟଙ୍କ ଫଟୋ ଥିବା ହୋର୍ଡିଂ ରହିଛି। ଏହି ପରିବର୍ତ୍ତନ ଏବଂ ଫଟୋ ଗାଏବ କ’ଣ ସୂଚାଉଛି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।

ବାସ୍ତବରେ କଂଗ୍ରେସର ଏହି ପରିବର୍ତ୍ତନର ଉତ୍ତର ଭାଜପାର ନିର୍ବାଚନ ରଣନୀତିକୁ ଦର୍ଶାଉଛି। ରାଜସ୍ଥାନରେ ଭାଜପା ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଚେହେରା ଘୋଷଣା କରିବାରେ ସକ୍ଷମ ହୋଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାରେ ଭାଜପା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ବୋଲି ବିଶ୍ୱାସ ରହିଛି। ଭାଜପାର ସମ୍ପୂର୍ଣ୍ଣ ନିର୍ବାଚନ ପ୍ରଚାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ଯୋଜନାରେ ସୀମିତ ରହିବ। ଏଭଳି ପରିସ୍ଥିତିରେ ସମଗ୍ର ନିର୍ବାଚନଲଢ଼େଇ ଦୁଇ ଚେହେରା ମଧ୍ୟରେ ହୋଇପାରେ, ଯେଉଁଥିରେ ମୋଦି ଗୋଟିଏ ପଟେ ଏବଂ ଅନ୍ୟ ପଟେ ଅଶୋକ ଗେହଲଟ ରହିବେ। ଏହି କାରଣରୁ ରାଜସ୍ଥାନରେ କଂଗ୍ରେସର ସମଗ୍ର ନିର୍ବାଚନ ପ୍ରଚାରରେ କେବଳ ଗେହଲଟ ଦୃଶ୍ୟମାନ ହେଉଛନ୍ତି।

ପୂର୍ବରୁ ବଂଶବାଦ ଅଭିଯୋଗର ଉତ୍ତର ଦେବା ପାଇଁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ନାମ ପ୍ରତ୍ୟାହାର କରିନେଇଥିଲେ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଦଳକୁ ଆଗେଇ ନେବାକୁ ସୁଯୋଗ ପ୍ରଦାନ କରାଯାଇଛି। ଯେହେତୁ ଦଳର ଏହି ରଣନୀତି ଜାତୀୟ ସ୍ତରରେ ଯଥେଷ୍ଟ ସଫଳ ହୋଇଛି, ଏହା ଅନୁମାନ କରାଯାଉଛି ରାଜ୍ୟ ସ୍ତରରେ ମଧ୍ୟ ଦଳ ସମାନ ରଣନୀତି ଆପଣେଇଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ଭାଜପାର ପ୍ରଚାର ନୀତିକ ୁ ଧ୍ୟାନରେ ରଖି ରାଜସ୍ଥାନ ସରକାରଙ୍କ ଯୋଜନାଗୁଡିକ ପ୍ରତ୍ୟେକ କାର୍ଯ୍ୟକ୍ରମରେ ବ୍ୟାପକ ଭାବରେ ପ୍ରଚାର କରାଯାଉଛି।

ଯଦି କଂଗ୍ରେସର ଯୋଜନା ପ୍ରଚାର ରଣନୀତି ରାଜସ୍ଥାନରେ କାମ କରେ, ତେବେ ଏହାକୁ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଉପଯୋଗ କରିବ ବୋଲି ଚଚ୍ଚା ହେଉଛି।

୨୦୪୭ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବା ବିଷୟରେ କହୁଥିବାବେଳେ ଅଶୋକ ଗେହଲଟ ୨୦୩୦ ମସିହାରେ ରାଜସ୍ଥାନକୁ ଏକ ନମ୍ବର କରିବା ବିଷୟରେ କହୁଛନ୍ତି। ଏହି ଲକ୍ଷ୍ୟ ହାସଲ କରିବାରେ କେବଳ ରାଜ୍ୟ ସରକାର ନିଜର କାର୍ଯ୍ୟ କରିବାକୁ ଚାହୁଁନାହାଁନ୍ତି। ସେ ୨୦୩୦ ର ରାଜସ୍ଥାନ ଗଠନରେ ପ୍ରତ୍ୟେକ ରାଜ୍ୟବାସୀଙ୍କର ଭୂମିକା ନିଶ୍ଚିତ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସମସ୍ତଙ୍କ ମତାମତ ନିଆଯିବ ଏବଂ ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ସହ କଥା ହେବେ। ଏହାର ବାହାନା କରି ଗେହଲଟ ଲୋକଙ୍କ ସହ ଯୋଡି ହେବାକୁ ଚାହୁଁଛନ୍ତି।

Share