Categories: ଜାତୀୟ

ମିଶନ ୨୪: ଆଜି ବିଜୟ ମନ୍ତ୍ର ଦେବେ ମୋଦି

ନୂଆଦିଲ୍ଲୀ,୩୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ଏମ୍‌ପିମାନଙ୍କ ସହିତ ଏକ ବୈଠକ କରି ଆଗାମୀ ନିର୍ବାଚନ ସମ୍ପର୍କରେ ସେମାନଙ୍କୁ ବିଜୟ ମନ୍ତ୍ର ଦେବେ। ଏନଡିଏ ସାଂସଦମାନଙ୍କର ବୈଠକ କାର୍ଯ୍ୟକ୍ରମ ୧୧ ଦିନ ପାଇଁ ଚାଲିବ।
ସୂଚନାନୁସାରେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି କରିବାକୁ ଜୁଲାଇ ୩୧ରୁ ଅଗଷ୍ଟ ୧୦ ମଧ୍ୟରେ ଭାଜପା ନେତୃତ୍ୱାଧୀନ ଏନଡିଏ ଏମ୍‌ପିମାନଙ୍କର ବୈଠକ ଯୋଜନା କରାଯାଇଛି।
ପାର୍ଟି ସୂତ୍ର ଅନୁଯାୟୀ, ମୋଟ ୧୧ଟି ଏନଡିଏ ଏମ୍‌ପି ଗ୍ରୁପ୍‌ ଗଠନ କରାଯାଇଛି। ଗୋଟିଏ ଦିନରେ ଦୁଇଟି ଗ୍ରୁପ୍‌ ବୈଠକ ଅନୁଷ୍ଠିତ ହେବ। ପ୍ରଥମ ବୈଠକ ସନ୍ଧ୍ୟା ୬.୩୦ରୁ ଉତ୍ତରପ୍ରଦେଶର ଏମ୍‌ପିମାନଙ୍କ ସହିତ ଆରମ୍ଭ ହେବ। ଦ୍ୱିତୀୟ ବୈଠକ ୭.୩୦ରୁ ହେବ। ପ୍ରଥମ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭାଜପା ନେତା ସଞ୍ଜୀବ ବାଲାନ ଏବଂ ବି.ଏଲ ବର୍ମା ଉପସ୍ଥିତ ରହିବେ। ଉଭୟ ବୈଠକର ସ୍ଥାନ ଅଲଗା ହେବ ବୋଲି ସୂତ୍ରରୁ ପ୍ରକାଶ। ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ପ୍ରତ୍ୟେକ ବୈଠକରେ ଯୋଗଦେବେ। ଦ୍ୱିତୀୟ ବୈଠକରେ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଓଡିଶାର ଏମ୍‌ପିମାନେ ଯୋଗଦେବେ। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, ଶାନ୍ତନୁ ଠାକୁର, ଭାଜପା ନେତା ବୈଜନ୍ତ ପଣ୍ଡା ଏବଂ ଦିଲୀପ ଘୋଷ ଇତ୍ୟାଦି ଯୋଗଦେବେ।
୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୧୦ ମାସ ବାକି ଅଛି। ସେହି ପୂର୍ବରୁ ବିଧାନସଭା ନିର୍ବାଚନ ମଧ୍ୟ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହେବ। ସେଥିପାଇଁ ଏହି ବୈଠକଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।

Share