କାମରେ ଲାଗୁନି ମିଶନ ଶକ୍ତି ଗୃହ

କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ) ମିଶନ ଶକ୍ତି ଜରିଆରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଅଧିକ ସୃଦୃଢ଼ ଓ ସ୍ବାବଲମ୍ବୀ କରିବା ପାଇଁ ସରକାର ମିଶନ ଶକ୍ତି ଗୃହ ନିର୍ମାଣ କରି ଯୋଗାଇ ଦେଉଛନ୍ତି। କିନ୍ତୁ ଅନେକ ସ୍ଥାନରେ ଜମି ସମସ୍ୟା ଓ ଅର୍ଥ ବରାଦ ହେଉ ନ ଥିବାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇ ପାରୁନି। ଯେଉଁଠାରେ ନିର୍ମାଣ ସରିଛି ହସ୍ତାନ୍ତର ହୋଇ ନ ଥିବାରୁ କାମରେ ଲାଗିପାରୁନାହିଁ। ଫଳରେ ସେସବୁ ଗୃହରେ ତାଲା ପଡ଼ିଥିବା ବେଳେ ବାରଣ୍ଡାରେ ଅସାମାଜିକଙ୍କ ଆଡ୍ଡା ଜମୁଛି।
ପ୍ରକାଶ ଯେ, କେନ୍ଦୁଝର ଜିଲାର ସମସ୍ତ ଓ୍ବାର୍ଡରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଉଛି। ଏହି କ୍ରମରେ ଜିଲା ମୁଖ୍ୟାଳୟ କେନ୍ଦୁଝର ପୌରପାଳିକାରେ ସମୁଦାୟ ୨୧ ଓ୍ବାର୍ଡରୁ ୧୯ ଓ୍ବାର୍ଡରେ ଜମି ଚିହ୍ନଟ ହୋଇଥିବା ବେଳେ ୨ ଓ୍ବାର୍ଡରେ ଜମି ମିଳିନାହିଁ। ୧୯ ମଧ୍ୟରୁ ୬ ଓ୍ବାର୍ଡରେ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। ତେବେ ୬ଟି ଓ୍ବାର୍ଡ ମଧ୍ୟରୁ କେତେକ ଗୃହ ନିର୍ମାଣ ସରିଥିଲେ ମଧ୍ୟ ହସ୍ତାନ୍ତର ହୋଇ ନ ଥିବାରୁ ତାଲା ପଡ଼ିରହିଛି। ସେଥି ମଧ୍ୟରୁ କେନ୍ଦୁଝର ସହର ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ମିଶନଶକ୍ତି ଗୃହ କାର୍ଯ୍ୟ ସରିଥିଲେ ହେଁ ହସ୍ତାନ୍ତର ହୋଇନାହିଁ। ଫଳରେ ବାରଣ୍ଡାରେ ଅସାମାଜିକ ବ୍ୟକ୍ତି ମଦ୍ୟପାନ କରି ବୋତଲ ପକାଉଥିବା ଦେଖିବାକୁ ମିଳୁଛି।
ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଗୌରମଣୀ ହଁାସଦା କହିଛନ୍ତି, ଗୃହ ହସ୍ତାନ୍ତର ହୋଇ ନ ଥିବାରୁ ବ୍ୟବହାର ହୋଇ ପାରୁନାହିଁ। ଖୁବ୍‌ଶୀଘ୍ର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ହସ୍ତାନ୍ତର କରାଯିବ। ସେସବୁ ଗୃହରେ ସେମାନେ ସଭାସମିତି ଆୟୋଜନ କରିବା ସହ ପ୍ରସ୍ତୁତ କରୁଥିବା ସାମଗ୍ରୀ ପ୍ରଦର୍ଶନ, ବିକ୍ରିବଟା ଆଦି କରିବେ। ମିଶନଶକ୍ତି ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଶିଶିର ଷଡ଼ଙ୍ଗୀ କହିଛନ୍ତି, କେତେକ ସ୍ଥାନରେ ଜମି ମିଳୁ ନ ଥିବାରୁ ଗୃହ ନିର୍ମାଣ ହୋଇ ପାରୁନାହିଁ। ଅନ୍ୟ ୬ଟି ପାଇଁ ଅର୍ଥ ମଞ୍ଜୁର ହୋଇ କାମ ଚାଲିଛି। ଅଦ୍ୟାବଧି ଗୋଟିଏ ହେଲେ ଗୃହ ହସ୍ତାନ୍ତର ହୋଇ ନ ଥିବାରୁ କେତୋଟି ସରିଛି ଜଣାପଡୁନାହିଁ।

Share