ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମିଶନ ଶକ୍ତି’ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ବା ଏସ୍ଏଚଜିିଙ୍କ ହାତରେ ଦେଇଛନ୍ତି ବିକାଶର ଗୁରୁଦାୟିତ୍ୱ। ପ୍ରତିଟି କ୍ଷେତ୍ରରେ ମହିଳାମାନେ ଏବେ ସ୍ବାବଲମ୍ବୀ ହେବା ସହ ରୋଜଗାରର ପନ୍ଥା ପାଇପାରିଛନ୍ତି। ଦେଶରେ ଓଡ଼ିଶାର ମିଶନ ଶକ୍ତି ୭୦ ଲକ୍ଷ ମା’ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି। ୨୦୦୧ ମସିହାରୁ ଏକ ଅକଳ୍ପନୀୟ ସମ୍ଭାବନାକୁ ନେଇ ଆଗକୁ ବଢ଼ିଥିବା ମିଶନ ଶକ୍ତି ୨୨ବର୍ଷ ମଧ୍ୟରେ ଏହି ଅଭିଯାନ ଏକ ସକାରାତ୍ମକ ସଶକ୍ତ ଆନ୍ଦୋଳନରେ ପରିଣତ ହୋଇଛି। ରାଜ୍ୟରେ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ଏକ ‘ମିଶନ୍ ଶକ୍ତି’କୁ ସ୍ବତନ୍ତ୍ର ବିଭାଗ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ଦେଶରେ ମହିଳା ସଶକ୍ତୀକରଣ ଓ ସ୍ବାବଲମ୍ବନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛ। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠାରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବିଭାଗ ରହିଛି। ଫଳରେ ମହିଳାମାନେ କୃଷି କ୍ଷେତ୍ରଠାରୁ ଆରମ୍ଭ କରି ଶସ୍ୟ ସଂଗ୍ରହ, ବୟନ ହସ୍ତଶିଳ୍ପ, ପାଣି ବିଲ୍ ସଂଗ୍ରହ, ଇଲେକ୍ଟ୍ରି ବିଲ୍ ସଂଗ୍ରହ, ବ୍ୟାଙ୍କ ସଖୀ ତଥା ଶ୍ରମଭିତ୍ତିକ କାର୍ଯ୍ୟକ୍ରମରେ ଉଦ୍ୟୋଗୀ ଭାବେ ସାମିଲ ହୋଇ ସଫଳତା ହାସଲ କରିପାରିଛନ୍ତି। ମିଶନ ଶକ୍ତି ମା’ମାନଙ୍କ ସଶକ୍ତୀକରଣକୁ ଆହୁରି ବ୍ୟାପକ କରିବା ପାଇଁ ୨ ହଜାର ୫ ଶହ ୫୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆସନ୍ତା ୫ବର୍ଷ ମଧ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୦ ହଜାର କୋଟି ଟଙ୍କାର ବ୍ୟବସାୟ ସହାୟତା ଯୋଗାଇବା ପାଇଁ ବ୍ୟୟବରାଦ କରାଯାଇଛି।
ଗ୍ରାମାଞ୍ଚଳ ପିଲାଙ୍କୁ ମାଗଣାରେ ଇଂଲିଶମାଧ୍ୟମ ପାଠପ଼ଢା
ଆଦିବାସୀ ଅଧ୍ୟୁଷିତ ଓ ଉପାନ୍ତ ଅଞ୍ଚଳର ପିଲାଙ୍କୁ ଇଂଲିଶ ମାଧ୍ୟମ ପାଠ ପ଼ଢ଼ାଇବା ଲାଗି କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ପ୍ରତିଷ୍ଠା ହୋଇଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ରାଜ୍ୟ ସରକାରଙ୍କ ପାଣ୍ଠି ବିନିମୟରେ ଏହି ବିଦ୍ୟାଳୟ ପରିଚାଳିତ ହେଉଥିବାବେଳେ ଦିନ କେଇଟା ମଧ୍ୟରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ସିବିଏସ୍ଇ ଢାଞ୍ଚାରେ ଗାଁ ଗହଳିରେ ପିଲାଙ୍କୁ ପାଠ ପ଼ଢ଼ାଇବା ପାଇଁ ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବାବେଳେ ବିଗତ ଶିକ୍ଷାବର୍ଷରୁ ୩୧୪ ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ମାଟ୍ରିକ୍ ପାସ୍ ପରେ ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରୁ ୫ଶହ ମେଧାବୀ ଛାତ୍ରୀଛାତ୍ରଙ୍କୁ ଏଠାରେ ଶିକ୍ଷାଦାନ ଦିଆଯାଉଥିବାବେଳେ ସେମାନଙ୍କୁ ମେଡିକାଲ୍, ଇଞ୍ଜିନିୟରିଂ ପାଇଁ ପ୍ରଶିକ୍ଷଣ ଦିଆଯିବା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ। ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂରେ ୧୫ ପ୍ରତିଶତ ସିଟ୍ ସଂରକ୍ଷିତ ରହିଛି। ସରକାରୀ ସ୍କୁଲର ୧୫ ପ୍ରତିଶତ ଛାତ୍ରୀଛାତ୍ର ୨୦୨୧-୨୨ ଶିକ୍ଷାବର୍ଷରେ ସରକାରୀ ମେଡିକାଲ କଲେଜରେ ନାମ ମଧ୍ୟ ଲେଖାଇଛନ୍ତି। ତେବେ ଚଳିତ ଶିକ୍ଷାବର୍ଷରୁ ଏହି ସଂରକ୍ଷଣ ବ୍ୟବସ୍ଥା ଇଞ୍ଜିନିୟରିଂରେ ଲାଗୁ ହେବ।
ଅଲିମ୍ପିକ୍ସ ପାଇଁ ପିଲାଙ୍କୁ ସ୍କୁଲରୁ ପ୍ରେରଣା
ସବୁକ୍ଷେତ୍ରରେ ଆଗୁଆ ହେବେ ଓଡ଼ିଆ ଛାତ୍ରୀଛାତ୍ର। ତୃଣମୂଳ ସ୍ତରରୁ ପିଲାମାନେ ଅଲିମ୍ପିକ୍ସ ପ୍ରସ୍ତୁତି ସମ୍ପର୍କିତ ଜ୍ଞାନ ଆହରଣ କରିବେ। କେବଳ ପାଠ୍ୟକ୍ରମଭିତ୍ତିକ ଶିକ୍ଷା ନୁହେଁ, ଶିକ୍ଷା ସହିତ ବିଭିନ୍ନ ଖେଳକୁଦରେ ଦକ୍ଷ ହେବେ ରାଜ୍ୟର ଛାତ୍ରୀଛାତ୍ର। ସ୍କୁଲ ସ୍ତରରୁ ଛାତ୍ରୀଛାତ୍ର ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ମଧ୍ୟ ହେବେ। ଏଥିପାଇଁ ରାଜ୍ୟ ସରକାର ପାଇଲଟ୍ ପ୍ରକଳ୍ପ ଭାବେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲାର ୯୦ଟି ସ୍କୁଲରେ ଅଲିମ୍ପିକ୍ସ ଭାଲ୍ୟୁ ଏଜୁକେଶନ୍ ପ୍ରୋଗ୍ରାମ୍ (ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ) ଆରମ୍ଭ କରିଛନ୍ତି। ଅଲିମ୍ପିକ୍ସ ସହିତ ଏସିଆନ୍ ଗେମ୍, ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଆଦି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସ୍କୁଲ ସ୍ତରରୁ ପିଲାଙ୍କୁ ପ୍ରସ୍ତୁତ କରାଯାଉଛି। ତୃଣମୂଳ ସ୍ତରରୁ ସ୍କୁଲର ପିଲାଙ୍କୁ ଅଲିମ୍ପିକ୍ସ ବାବଦରେ ଜ୍ଞାନ ଦେବା ଓ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ଅଲିମ୍ପିକ୍ସ କ’ଣ? ଏଥିରେ କେଉଁ କେଉଁ ବିଭାଗର ଖେଳ ଅନ୍ତର୍ଭୁକ୍ତ? ଏଥିପାଇଁ ପ୍ରସ୍ତୁତି କିପରି କରାଯାଏ? ଏ ସମ୍ପର୍କରେ ଜ୍ଞାନ ସ୍କୁଲ ପାଠ୍ୟକ୍ରମରୁ ପିଲାମାନେ ପାଇବେ। ପାଇଲଟ୍ ପ୍ରକଳ୍ପ ଭାବେ ‘ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ ଲାଗି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲାର ୯୦ଟି ସ୍କୁଲ ଚିହ୍ନଟ ହୋଇଛି। ଏବେ ୨୫୦ରୁ ଅଧିକ ବିଦ୍ୟାଳୟ ଏହି ଯୋଜନାରେ ସାମିଲ ହୋଇଛି।
ନିଜ ଉଦ୍ୟମରେ ବିଦେଶକୁ ବିମାନ ଉଡ଼ାଣରେ ଓଡ଼ିଶା ପ୍ରଥମ ରାଜ୍ୟ
ନିଜ ଉଦ୍ୟମରେ ବିଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ଦୁବାଇଗସ୍ତ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ମୁଖ୍ୟମନ୍ତ୍ରୀ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍ଗକ୍କୁ ସିଧାସଳଖ ବିମାନ ସେବା ଆରମ୍ଭ କରିଛନ୍ତି। ଏପ୍ରିଲ ୧୫ରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହୋଇଥିବାବେଳେ ଆସନ୍ତା ୩ତାରିଖରୁ ଭୁବନେଶ୍ୱର-ସିଙ୍ଗାପୁର-ବ୍ୟାଙ୍ଗକକ୍ ବିମାନ ସେବା ଆରମ୍ଭ ହେବ। ଏଥିପାଇଁ ଇଣ୍ଡିଗୋ ଏୟାର ଲାଇନ୍ସ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଛି। ଭୁବନେଶ୍ୱର-ଦୁବାଇ ମଧ୍ୟରେ ଯିବା ଆସିବା ଟିକଟ ମୂଲ୍ୟ ୨୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଦୁବାଇଗସ୍ତ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ମୁଖ୍ୟମନ୍ତ୍ରୀ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍ଗକକ୍କୁ ସିଧାସଳଖ ବିମାନ ସେବା ଆରମ୍ଭ କରୁଛନ୍ତି।
ରାଜ୍ୟରେ ବିମାନ ସଂଯୋଗ ବୃଦ୍ଧି
ରାଜ୍ୟରେ ବିମାନ ସଂଯୋଗକୁ ବୃଦ୍ଧି କରାଗଲେ ଗମନାଗମନରେ ସୁବିଧା ଆସିବା ଦ୍ୱାରା ବାଣିଜ୍ୟ କାରବାରରେ ବୃଦ୍ଧି ଆସି ପାରିବ। ଏହି ଲକ୍ଷ୍ୟରେ ସରକାର ଏକାଧିକ ସ୍ଥାନକୁ ବିମାନ ଚଳାଚଳ କରାଇବାକୁ ଲକ୍ଷ୍ୟ ରଖିଛନ୍ତି। ଇତିମଧ୍ୟରେ ଝାରୁସୁଗୁଡ଼ା ଓ ରାଉରକେଲା ବିମାନବନ୍ଦର କାର୍ଯ୍ୟକ୍ଷମ କରାଯାଇଥିବାବେଳେ ଜୟପୁର, ଉତ୍କେଲା, ରଙ୍ଗେଇଲୁଣ୍ଡା, ରାସଗୋବିନ୍ଦପୁର, ମାଲକାନାଗିରି ଓ ପୁରୀର ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର କାମ ଦ୍ରୁତ ଗତିରେ ଚାଲିଛି। ଡିସେମ୍ବର ସୁଦ୍ଧା ମାଲକାନଗିରି ଗ୍ରୀନ୍ଫିଲ୍ଡ ଏୟାରପୋର୍ଟ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପ୍କୁ ବିଶ୍ବସ୍ତରୀୟ କରାଯାଉଛି। ବିଜୁ ପଟ୍ଟନାୟକ ଆଭିଏଶନ ସେଣ୍ଟରକୁ ବିଶ୍ବସ୍ତରୀୟ ଏରୋସ୍ପେସ ସେଣ୍ଟରରେ ପରିଣତ କରାଯାଉଛି। ଏହିସହିତ ବିଜୁ ବାବୁଙ୍କ ସ୍ମୃତି କୁହାଯାଉଥିବା ଡାକୋଟା ବିମାନକୁ ଭୁବନେଶ୍ବର ଅଣାଯାଇ ବିମାନବନ୍ଦର ନିକଟରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯାଇଛି।
୩୨୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା
ରୋଗୀଙ୍କ ପରିବହନ ପାଇଁ ୧୧୨ଟି ନୂଆ ଆମ୍ବୁଲାନ୍ସ ପ୍ରଚଳନ କରାଯାଇ ଥିବାବେଳେ ୩୨୭ଟି ଆମ୍ବୁଲାନ୍ସରେ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି ା ଚଳିତ ବର୍ଷ ଏଥିରେ ଆଉ ୨୩୬ଟି ଆମ୍ବୁଲାନ୍ସ ଯୋଡ଼ିହେବ। ସମନ୍ବିତ ଓ ସୁଚିନ୍ତିତ ପଦକ୍ଷେପର ସୁଫଳ ମିଳିବା ଆରମ୍ଭ ହୋଇଛି। ଶିଶୁ ଓ ମାତୃ ମୃତ୍ୟୁ ହାର ରୋକିବା ସହିତ ମ୍ୟାଲେରିଆ, ଯକ୍ଷ୍ମା, ଅପପୁଷ୍ଟି ଦୂର କରିବାରେ ଓଡ଼ିଶା ସମଗ୍ର ଦେଶରେ ଶୀର୍ଷ ସ୍ଥାନ ଛୁଇଁଛି ା ଆଉ ଏକ ଅଭିନବ ପଦକ୍ଷେପ ହେଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ା ମେଡିକାଲ କଲେଜର ସୁପରସ୍ପେଶାଲିଟି ଡାକ୍ତର ବିମାନ ଯୋଗେ ଉପାନ୍ତ ଜିଲାରେ ପହଞ୍ଚି ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି। ଖୁବ୍ ଶୀଘ୍ର ଦୁର୍ଗମ ଅଞ୍ଚଳରେ ରହୁଥିବା ରୋଗୀଙ୍କ ପରିବହନ ନିମନ୍ତେ ସରକାର ହେଲିକପ୍ଟର ନିୟୋଜନ ଯୋଜନା କରିଛନ୍ତି। ଅନୁଗୋଳ, ବଡ଼ବିଲ, ଝାରସୁଗୁଡ଼ା ଓ ଭଦ୍ରକରେ ସୁପରସ୍ପେଶାଲିଟି ସ୍ବାସ୍ଥ୍ୟ ସେବା ଆରମ୍ଭ ହେବାକୁ ଯାଉଛି। ହୋମିଓପାଥିକ, ଏଲୋପାଥିକ ଏବଂ ଆୟୁର୍ବେଦର ସବୁ ମେଡିକାଲ କଲେଜକୁ ଗୋଟିଏ ବିଶ୍ୱବିଦ୍ୟାଳୟ ଅଧୀନରେ ରଖିବା ପାଇଁ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ, ବିଶ୍ୱବିଦ୍ୟାଳୟ ସ୍ଥାପନ ଭଳି ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ନିଆଯାଇଛି।
ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା
ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ‘ଜିରୋ ଟଲେରାନ୍ସ’। ଯିଏ କେହି ବି ଦୁର୍ନୀତି କଲେ ତାଙ୍କୁ ବରଦାସ୍ତ କରାଯିବ ନାହିଁ। ଗିରଫ ସହ ସରକାରୀ ଚାକିରିରୁ ବିଦା କରାଯାଉଛି। ରାଜ୍ୟ ସରକାରଙ୍କ ଏଭଳି ନୀତି ପାଇଁ ଏବେ ଲାଞ୍ଚୁଆ ଏବଂ ଦୁର୍ନୀତିଖୋର ଟଙ୍କା ନେବାକୁ ଭୟ କଲେଣି। ଯେଉଁଥିପାଇଁ ରାଜ୍ୟରେ ଦଶ ବର୍ଷରେ ବଦଳିଛି ରାଜ୍ୟର ଚିତ୍ର। ପୂର୍ବରୁ ଲୋକେ ସରକାରୀ ଅଫିସ ଗଲେ ଲାଞ୍ଚ ନ ଦେଲେ କୌଣସି କାର୍ଯ୍ୟ ହେଉନି ବୋଲି ଭାବୁଥିଲେ। କିନ୍ତୁ ବର୍ତ୍ତମାନ ଲୋକେ ସଚେତନ ହେଲେଣି। ସେମାନେ ବିଭିନ୍ନ ସରକାରୀ ଅଫିସ ଯାଇ ବିନା ଲାଞ୍ଚରେ ନିଜ କାର୍ଯ୍ୟ କରୁଛନ୍ତି। ଏସବୁ ସମ୍ଭବ ହୋଇଛି ‘୫-ଟି’ ପାଇଁ। କାରଣ ରାଜ୍ୟ ପୋଲିସ ହେଉ ଅବା ଭିଜିଲାନ୍ସ, ସବୁଠି ‘୫-ଟି’ ଲାଗୁ ହେବା ପରେ ବିଭାଗ ଅଧିକ ସକ୍ରିୟ ହୋଇଛି।
‘୫-ଟି’ ଉପକ୍ରମ ପାଇଁ ଦଣ୍ଡ ହାରରେ ଓଡ଼ିଶା ଆଗରେ
ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଅଦାଲତରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା। ଆଉ ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ ସବୁବେଳେ ସମାଲୋଚନାର ଶରବ୍ୟ ହୋଇ ଆସୁଥିଲା। ଯେତିକି ଲୋକ ଧରାପଡୁଥିଲେ ତାହାର ସିଂହଭାଗ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଯାଉଥିଲେ। ତେବେ ଗତ କିଛି ବର୍ଷ ହେଲା ଚିତ୍ର ବଦଳି ଯାଇଛି ା ଏଥିରେ ପ୍ରମୁଖ ଭୂମିକା ନେଇଛି ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ। ଓଡ଼ିଶା ଭିଜିଲାନ୍ସରେ ଦୋଷୀ ସାବ୍ୟସ୍ତ ହାର ୫୦%କୁ ବୃଦ୍ଧି ପାଇଛି।
ଭିଜିଲାନ୍ସରେ ମାମଲା ସମାଧାନ ହାର ୧୨୨%
ଭିଜିଲାନ୍ସ ଜାଲରେ ପଡ଼ିଥିବା ପ୍ରଥମ ଶ୍ରେଣୀ ଅଧିକାରୀଙ୍କଠାରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ବେସରକାରୀ ଲୋକ ଠୋସ୍ ପ୍ରମାଣ ବଳରେ ସଜା ଭୋଗିବା ପାଇଁ ବାଧ୍ୟ ହେଉଛନ୍ତି। ଚଳିତ ବର୍ଷ ଭିଜିଲାନ୍ସରେ ମାମଲା ସମାଧାନ ହାର ୧୨୨%ରେ ପହଞ୍ଚି ଥିଲାବେଳେ ଦୋଷୀ ସାବ୍ୟସ୍ତ ହାର ୫୦%ରେ ପହଞ୍ଚିଛି ା ଗତ ବର୍ଷ ମୋଟ ୯୧ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
୬୨ ବାବୁଆଣୀଙ୍କ ବିରୋଧରେ ମାମଲା
ଅଭିଯୁକ୍ତଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀ ପାହ୍ୟାର ଅଧିକାରୀଙ୍କ ସଂଖ୍ୟା କିଛି କମ୍ ନାହିଁ। ଚଳିତ ବର୍ଷ ୬୦ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ ମସିହାରେ ୪୬, ୨୦୨୦ରେ ୫୩, ୨୦୧୯ରେ ୪୯ ଏବଂ ୨୦୧୮ ମସିହାରେ ୫୨ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାବୁ ଦୁର୍ନୀତି କରିବା ପଛରେ ସେମାନଙ୍କ ପତ୍ନୀଙ୍କର ବଡ଼ ହାତ ରହିଛି। ପତିଙ୍କ ଦୁର୍ନୀତି ସହିତ ସମ୍ପୃକ୍ତି ଅଭିଯୋଗରେ ଭିଜିଲାନ୍ସ ଚଳିତ ବର୍ଷ ୬୨ ଜଣ ବାବୁଆଣୀଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଜଳ ପରିଚାଳନାରେ ଓଡ଼ିଶା ଦ୍ୱିତୀୟ
୨୦୨୦-୨୦୨୧ ଏବଂ ୨୦୨୧-୨୦୨୨ ବର୍ଷରେ ଜଳସମ୍ପଦ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ରାଜ୍ୟକୁ ଜାତୀୟ ଜଳ ପୁରସ୍କାର- ୨୦୨୨ ପ୍ରଦାନ କରାଯିବ। ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପ୍ରଦାନ କରିଛି। ସୂଚନାଯୋଗ୍ୟ, ରାଜ୍ୟରେ ୩.୨ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରାଯାଇ ପ୍ରାୟ ୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଜଳ ସୁରକ୍ଷା ଯୋଗାଇ ଦିଆଯାଇଛି। ଜଳ ସମ୍ପଦ ବିଭାଗ ଦ୍ୱାରା ଦୁଇଟି ବୃହତ୍ ଜଳସେଚନ ପ୍ରକଳ୍ପ ଯଥା ନୂଆପଡ଼ା ଏବଂ ବଲାଙ୍ଗୀର ଜିଲାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଏବଂ କଳାହାଣ୍ଡି ଜିଲାରେ ଉପର ଇନ୍ଦ୍ରାବତୀ ଲିଫ୍ଟ କେନାଲ ପ୍ରକଳ୍ପ, ଉଚ୍ଚ ଅଞ୍ଚଳକୁ ଜଳ ଯୋଗାଣ ନିମନ୍ତେ ୬୧ଟି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ, ୨,୮୩୩ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ଓ ୨୨,୫୦୦ ଗଭୀର ନଳକୂପ ନିର୍ମାଣ କରି ସରକାର ଭୌଗୋଳିକ ତଥା ସାମାଜିକ ସମାନତାକୁ ସୁନିଶ୍ଚିତ କରିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦୀର୍ଘଦିନର ସମସ୍ୟାର ସମାଧାନ କରାଯାଇ ପ୍ରାୟ ୩୨ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ଜଳସମ୍ପଦର ସଂରକ୍ଷଣ ପାଇଁ ରାଜ୍ୟ ସରକାର ପାଞ୍ଚ ବର୍ଷ ମଧ୍ୟରେ ୧୧ ହଜାର ୭ଶହ କୋଟି ଟଙ୍କା ବିନିଯୋଗ କରି ୪୬ଟି ଅନ୍ତଃନଦୀ ଜଳାଶୟ ନିର୍ମାଣ ଦ୍ୱାରା ୫୦ହଜାର ହେକ୍ଟର ମିଟର ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଛନ୍ତି।
୍ଦକ୍ଷ ମାନବ ସମ୍ବଳର ପେଣ୍ଠସ୍ଥଳୀ ହେବ ଓଡ଼ିଶା। ବିଶ୍ୱ ଦରବାରରେ ଚମକିବ ସ୍କିଲ୍ଡ-ଇନ୍-ଓଡ଼ିଶା ବ୍ରାଣ୍ଡ। ଦକ୍ଷତା ବିକାଶ ପାଇଁ ମଞ୍ଚେଶ୍ୱରରେ ଶହେ କୋଟି ବ୍ୟୟରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏଠାରେ ଛାତ୍ରୀଛାତ୍ର ମୁଖ୍ୟତଃ ବୈଷୟିକ ବିଭାଗରେ ଏସି ଓ ଫ୍ରିଜ୍, ମେକାନିକାଲ୍ ଓ ଇଲେକ୍ଟ୍ରିକାଲ୍ ସର୍ଭିସ୍, ମେକାଟ୍ରୋନିକ୍ସ ଓ ଇଲେକ୍ରିକାଲ୍ ଟେକ୍ନୋଲଜି ବିଭାଗରେ ନାମ ଲେଖାଇବାକୁ ସୁଯୋଗ ଥିବାବେଳେ ବୃତ୍ତିଗତ ଶିକ୍ଷାରେ ହେୟାର୍ ଫେଶନ୍ ଓ ଡିଜାଇନ୍ ଏବଂ ବିଓଟି ଏବଂ ୱେଲନେସ୍ ବିଭାଗରେ ପ୍ରଶିକ୍ଷଣ ଦିଆଯାଇ ଆତ୍ମନିର୍ଭର ହେବା ଲାଗି ପିଲାଙ୍କୁ ପ୍ରୋତ୍ସାହିତ କରାଯାଉଛି। ସେହିପରି ରାଜ୍ୟର ଆଇଟିଆଇ ଓ ଡିପ୍ଲୋମା କଲେଜଗୁଡ଼ିକରେ ବିଭିନ୍ନ ପ୍ରକାରର ଯୁଗୋପଯୋଗୀ ନୂଆ ନୂଆ ପାଠ୍ୟକ୍ରମ ମଧ୍ୟ ଖୋଲୁଛି।
ବିଶ୍ୱ ଦରବାରରେ ସ୍କିଲ୍ଡ-ଇନ୍-ଓଡ଼ିଶା ବ୍ରାଣ୍ଡ
ରୂପାନ୍ତରଣରେ ସାମିଲ୍ ଏସ୍ସି/ଏସ୍ଟି ଆବାସିକ ସ୍କୁଲ ସବୁ ବର୍ଗର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟର ଅନୁସୂଚିତ ଜନଜାତି (ଏସ୍ଟିି) ଏବଂ ଅନୁସୂଚିତ ଜାତି(ଏସ୍ସି) ବହୁଳ ଅଞ୍ଚଳଗୁଡ଼ିକର ସ୍କୁଲ ରୂପାନ୍ତରଣ କାର୍ଯ୍ୟ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ଏସ୍ଟିଏସ୍ସି ଜନସଂଖ୍ୟା ଥିବା ୧୧ଟି ଜିଲାର ୧୬୦ଟି ସ୍କୁଲ ଓ ଏହା ଅନ୍ତର୍ଗତ ଆବାସିକ ହଷ୍ଟେଲ ଗୁଡ଼ିକର ରୂପାନ୍ତରଣ କରାଯାଇଛି। ଏସ୍ସିଏସ୍ଟି ବର୍ଗର ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ବିକାଶ ସହ ସେମାନଙ୍କ ଶାରୀରିକ ବିକାଶ(ପୁଷ୍ଟି ସାଧନ)କୁ ଗୁରୁତ୍ୱ ଦିଆଯିବା ଲାଗି ବ୍ୟବସ୍ଥା ହୋଇଥିବାବେଳେ ଆବାସିକ ସ୍କୁଲଗୁଡ଼ିକର ୨୪ ଘଣ୍ଟିଆ ଆମୋଦ-ପ୍ରମୋଦ ବ୍ୟବସ୍ଥା ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏସ୍ସିଏସ୍ଟି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ, ସ୍କୁଲ ଓ ଗଣଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ, ପୂର୍ତ୍ତ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସହଯୋଗରେ କାର୍ଯ୍ୟ ତ୍ୱରାନ୍ବିତ ହେଉଥିବାବେଳେ ସ୍କୁଲଗୁଡ଼ିକରେ ସାଂସ୍କୃତିକ ମଞ୍ଚ, ମୁକ୍ତାକାଶ ରଙ୍ଗମଞ୍ଚ, ସକାଳ ପ୍ରାର୍ଥନା ଓ ଛାତ୍ରୀଛାତ୍ରଙ୍କ ଅଭିଭାବକମାନଙ୍କୁ ନେଇ ବୈଠକ ହେବା ଭଳି ଭିତ୍ତିଭୂମି ନିର୍ମାଣକୁ ପ୍ରାଥମିକତା ଦିଆଯାଇଛି।
ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀ: ଆର୍ ମାଧବନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ବଲିଉଡ୍ ଓ ଟଲିଉଡ୍ ଲୋକପ୍ରିୟ ଅଭିନେତା ଆର୍. ମାଧବନ। କିଛିମାସ ତଳେ ମାଧବନ ଓ ତାଙ୍କ ପତ୍ନୀ କଳିଙ୍ଗ ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ। ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ କ୍ରୀଡ଼ା ବିକାଶ ଓ କ୍ରୀଡ଼ା ଭିତ୍ତିଭୂମିକୁ ରେ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି ବୋଲି କହିଥିଲେ।
କ୍ରୀଡ଼ା ଭିତ୍ତିଭୂମି ବିକାଶରେ ମିଳିବ ସଫଳତା
ଯେ କୌଣସି କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ପ୍ରଶିକ୍ଷଣ ଓ ଭିତ୍ତିଭୂମିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଭିତ୍ତିଭୂମି ନ ରହିଲେ ପ୍ରତିଭା ପ୍ରଦର୍ଶନ ହୋଇପାରିବ ନାହି। ପ୍ରଶିକ୍ଷଣ ନ ପାଇଲେ ଖେଳାଳିମାନେ ସଫଳତା ପାଇବେ ନାହିଁ। ଏଥିଲାଗି ସରକାର ସମଗ୍ର ରାଜ୍ୟରେ ଭିତ୍ତିଭୂମିର ଉନ୍ନତି ଆଣିଛନ୍ତି। ଅବଶ୍ୟ ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଭିତ୍ତିଭୂମିର ପର୍ଯ୍ୟାପ୍ତ ଉନ୍ନତି ହୋଇଛି ା କିନ୍ତୁ ରାଜ୍ୟରେ ଏଭଳି କୌଣସି ଜିଲା ନାହିଁ କିମ୍ବା ଖେଳ ନାହିଁ, ଯେଉଁଥିରେ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦିଆଯାଇନାହିଁ। ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ହୋଇଥିବା ରୂପାନ୍ତରଣ ଓ ବିକାଶ ସମଗ୍ର ବିଶ୍ୱରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଅତ୍ୟାଧୁନିକ ହକି ଷ୍ଟାଡିୟମ୍ ସହ ହକି କମ୍ପ୍ଲେକ୍ସ, ଅତ୍ୟାଧୁନିକ ଫୁଟବଲ ଷ୍ଟାଡିୟମ୍, ଆଥ୍ଲେଟିକ୍ସ ଲାଗି ଅତ୍ୟାଧୁନିକ ସିନ୍ଥେଟିକ୍ ଟ୍ରାକ୍, ଅଭ୍ୟାସ କରିବା ଲାଗି ଭିନ୍ନ ଭିନ୍ନ କ୍ରୀଡ଼ା ଶୃଙ୍ଖଳାରେ ପଡ଼ିଆ, ଅତ୍ୟାଧୁନିକ ଆଥ୍ଲେଟିକ ଇନଡୋର ଷ୍ଟାଡିୟମ୍ (ଭାରତରେ ପ୍ରଥମ), ବିଭିନ୍ନ ଶୃଙ୍ଖଳାରେ ଏକାଡେମୀ ଏହି ୪ ବର୍ଷରେ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ହକି ଲାଗି ସମର୍ପିତ ହୋଇଛି କଳିଙ୍ଗ ଷ୍ଟାଡିୟମ୍। ଏହାର ଚାରିକଡ଼ରେ ଅନ୍ତର୍ଜାତୀୟ ମାନର ସୁଇମିଂ ପୁଲ୍, ଜିମ୍ନାଷ୍ଟିକ୍ ସେଣ୍ଟର, ଭାରୋତ୍ତୋଳନ ଉତ୍କର୍ଷ କେନ୍ଦ୍ର, ବ୍ୟାଡ୍ମିଣ୍ଟନ ଉତ୍କର୍ଷ କେନ୍ଦ୍ର, ଅନ୍ତର୍ଜାତୀୟ ଟେନିସ୍ ସେଣ୍ଟର ନିର୍ମାଣ କରାଯାଇଛି। ଏହା ବ୍ୟତୀତ ରାଉରକେଲାରେ ଅତ୍ୟାଧୁନିକ ଓ ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍, କ୍ରୀଡ଼ା ଗ୍ରାମ, ହକି ଉତ୍କର୍ଷ କେନ୍ଦ୍ରର ଉନ୍ନତି, ସୁନ୍ଦରଗଡ଼ ଜିଲାର ପ୍ରତ୍ୟେକ ବ୍ଲକରେ ଅତ୍ୟାଧୁନିକ ହକି ଖେଳ ପଡ଼ିଆ, ଜିମ୍ ଆଦି ପ୍ରତିଷ୍ଠା କରାଯାଇଛି। ଏହା ବ୍ୟତୀତ ପ୍ରତ୍ୟେକ ଜିଲା, ବ୍ଲକରେ ଖେଳର ବିକାଶ ଲାଗି ପ୍ରଚୁର ପରିମାଣରେ ଅର୍ଥ ବିନିଯୋଗ ହୋଇଛି। ଖେଳପଡ଼ିଆ ସାଙ୍ଗକୁ ଖେଳ ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି। ଫଳରେ ଜଣେ ଗରିବ ହୋଇଥିଲେ ମଧ୍ୟ ତାହାକୁ ଖେଳିବାରେ କୌଣସି ଅସୁବିଧା ହେବ ନାହିଁ। କ୍ରୀଡ଼ା ଏକ ଶାରୀରିକ କ୍ରିୟାକଳାପ। ଏଥିରେ ଅଂଶଗ୍ରହଣ କଲେ ଆହତ ହେବା ସ୍ବାଭାବିକ। ଏଥିଲାଗି ମଧ୍ୟ ଚିକିତ୍ସା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଆଉ ଏକ ବଡ଼ କଥା ହେଲା ଖେଳାଳିଙ୍କ ଦକ୍ଷତାର ମୂଲ୍ୟାୟନ ଓ ଏହାର ଉନ୍ନତି। ଏଥିଲାଗି ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପର୍ଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଏଥିରେ ରାଜ୍ୟର ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ଡାଟା ରହିଛି ା ସେ କିପରି ଉନ୍ନତି କରିପାରିବେ, ତାହାକୁ ଏହି କେନ୍ଦ୍ର ପରୀକ୍ଷା କରିବ। ଏହା ସହ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ୬୯୩.୩୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜିଲାରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।