ମିଶନ ଶକ୍ତି କାଫେରେ ଝୁଲୁଛି ତାଲା

ରାଇକିଆ,୯ା୬(ପ୍ରଦୀପ ବେହେରା): ଜନସାଧାରଣଙ୍କ ସୁବିଧା ପାଇଁ ସରକାରୀ ଅର୍ଥ ବ୍ୟୟରେ ମିଶନ ଶକ୍ତି କାଫେ ଆରମ୍ଭ ହୋଇଥିଲା। ଏବେ ଏହି ମିଶନ ଶକ୍ତି କାଫେରେ ତାଲା ଝୁଲୁ ଥିବା ଦେଖିବାକୁ ମିଳିଛି। ରାଇକିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଗତ ସେପ୍ଟେମ୍ବରରେ ଆଡମ୍ବର ସହକାରେ ଏହି ମିଶନ ଶକ୍ତି କାଫେକୁ ଉଦ୍‌ଘାଟନ କରାଯାଇଥିଲା। ବ୍ୟୟବହୁଳ ଭାବେ ନିର୍ମିତ ଏହି କାଫେରେ ଆଧୁନିକ ରେଷ୍ଟୁରାଣ୍ଟ ଭଳି ସମସ୍ତ ସୁବିଧା କରାଯାଇଥିଲା। ଟିଫିନଠାରୁ ଆରମ୍ଭ କରି ଚା’, କଫି, ଭୋଜନ ବ୍ୟବସ୍ଥା ମଧ୍ୟ ସୁଲଭ ଦରରେ ମିଳୁଥିଲା। ରାଇକିଆ ବ୍ଲକ ମିଶନ ଶକ୍ତି ତରଫରୁ ବ୍ଲକ ଲେବଲ ଫେଡେରଶନ ମାଧ୍ୟମରେ ଏହାକୁ ପରିଚାଳନା କରାଯାଉଥିଲା। ଗତ କିଛିଦିନ ହେଲା ଏଠାରେ ତାଲା ଝୁଲୁଛି। କେଉଁ କାରଣରୁ ଏହାକୁ ବନ୍ଦ କରାଯାଇଛି ସେନେଇ କିଛି ନିର୍ଦ୍ଦିଷ୍ଟ ଉତ୍ତର ମିଳୁନି। ମିଶନ ଶକ୍ତିର ବ୍ଲକ ପ୍ରୋଜେକ୍ଟ କୋଅର୍ଡିନେଟର ଦାୟିତ୍ୱରେ ଥିବା ଆଲୋକ ନାୟକ କହିଛନ୍ତି, କୌଣସି ଏକ କାରଣ ପାଇଁ ପରିଚାଳନା କରୁଥିବା ଗ୍ରୁପ୍‌ ସଦସ୍ୟମାନେ ଏହାକୁ ବନ୍ଦ ରଖିଛନ୍ତି। ସେମାନଙ୍କ ସହ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ଏହାକୁ ଖୋଲାଯିବ।

Share