ଛତ୍ରପୁର,୩୧।୫(ଡିଏନଏ ): ଦୁବାଇ ପରେ ଏବେ ସିଙ୍ଗାପୁର ଯିବେ ଗଞ୍ଜାମ ଜ଼ିଲାର ମିଶନ ଶକ୍ତି ମହିଳା। ମହିଳା ମାନଙ୍କର ଉତ୍ପାଦିତ ସାମଗ୍ରୀ ବିଶ୍ବ ଦରବାରରେ ଉପଲବ୍ଧ ହେବ ବୋଲି ଏନେଇ ଗଞ୍ଜାମ ଜିଲାପାଳ ଘୋଷଣା କରିଛନ୍ତି। ଜିଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଗଞ୍ଜାମ ଜିଲାରୁ ସିଙ୍ଗାପୁର ଯିବାକୁ ଥିବା ୪ଜଣ ମିଶନ ଶକ୍ତିର ମହିଳାଙ୍କୁ ବୁଧବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି । ମିଶନ ଶକ୍ତି ମହିଳାଙ୍କର ଉତ୍ପାଦିତ ଉନ୍ନତ ମାନର ସାମଗ୍ରୀ ଆନ୍ତର୍ଜାତୀୟ ବଜାରରେ କିଭଳି ବିକ୍ରି କରାଯାଇପାରିବ ଏବଂ ସିଙ୍ଗାପୁରରେ କେଉଁ କେଉଁ ସାମଗ୍ରୀ ଉତ୍ପାଦିତ ହୋଇ କିଭଳି ପ୍ୟାକିଂ କରି ଆନ୍ତର୍ଜାତୀୟ ବଜାରକୁ ଛଡାଯାଉଛି ତାହା ସେମାନେ ଦେଖି ଜ୍ଞାନ ହାସଲ କରିପାରିବେ ବୋଲି ଜିଲାପାଳ ଶ୍ରୀ ପରିଡା କହିଛନ୍ତି । ଓଡିଶାରୁ ସିଙ୍ଗାପୁର ବିମାନ ଯାତ୍ରା ଆସନ୍ତା ଜୁନ ୩ ତାରିଖ ଦିନ ଶୁଭାରମ୍ଭ ହେବ । ଏହି ଉପଲକ୍ଷେ ଗଞ୍ଜାମ ଜିଲା ଛତ୍ରପୁରର ମିଶନ ଶକ୍ତି, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମହାସଂଘର ସଂପାଦିକା ଶୈଳବାଳା ରଥ ଏବଂ ୩ଜଣ ଅଙ୍ଗନଓ୍ବାଡି କର୍ମୀ ରଙ୍ଗେଇଲୁଣ୍ଡା ବ୍ଲକରୁ ସୁନୀତା କୁମାରୀ ସାହୁ, କୁନି ସ୍ବାଇଁ ଏବଂ ଶେରଗଡ ବ୍ଲକ୍ରୁ ପୁଷ୍ପାଞ୍ଜଳୀ ପ୍ରଧାନ ସିଙ୍ଗାପୁର ଗସ୍ତ କରିବା ପାଇଁ ମନୋନୀତ ହୋଇଛନ୍ତି।