ବ୍ରହ୍ମପୁରରେ ମିଶନ ଜିରୋ କୋଭିଡ୍‌-୧୯ ଅଭିଯାନ: ୩ଦିନରେ ୧ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର ଅଫିସ,୨୮ା୬- ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗିନ ହେଉଥିବା ବେଳେ ଏହାକୁ ପ୍ରତିହତ କରିବା ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବ୍ରହ୍ମପୁରରେ ମିଶନ୍‌ ଜିରୋ କୋଭିଡ୍‌-୧୯ ଅଭିଯାନ ଆରମ୍ଭ ହୋଇଛି। ଗୁରୁବାରରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଶନିବାର ସୁଦ୍ଧା ପ୍ରାୟ ୧ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିବା ଜଣାପଡିଛି। କେବଳ ଶନିବାର ପ୍ରାୟ ୪୦ ହଜାର ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ପ୍ରତ୍ୟେକଙ୍କ କୋଭିଡ୍‌-୧୯ ସ୍କିନିଂ ସମେତ ଅଣସଂକ୍ରମଣ ଓ ସଂକ୍ରମଣ ରୋଗ ଯଥା ଟିବି, ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ସମ୍ପର୍କିତ ସ୍କ୍ରିନିଂ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କରୋନା ଜନିତ ଲକ୍ଷଣ କୌଣସି ବ୍ୟକ୍ତିଙ୍କଠାରେ ଦେଖାଦେଇ ନ ଥିବା ବିଏମସି ପକ୍ଷରୁ କୁହାଯାଇଛି। ତେବେ ଶନିବାର ହୋଇଥିବା ଯାଞ୍ଚରେ ମାତ୍ର ୩ ଜଣଙ୍କଠାରେ ଜ୍ୱର ଥିବା ଚିହ୍ନଟ ହୋଇଥିବା କୁହାଯାଇଛି। ଏହି ଅଭିଯାନରେ ପ୍ରଶାସନ ପକ୍ଷରୁ ୭୦ ସ୍ବାସ୍ଥ୍ୟ ଟିମ୍‌ ଗଠନ କରାଯାଇଥିବା ବେଳେ ପ୍ରତ୍ୟେକ ଟିମରେ ଜଣେ ଲେଖାଏ ଆୟୁଷ ଡାକ୍ତରଙ୍କ ନିଯୁକ୍ତ କରାଯାଇଛି।