ସୁରକ୍ଷିତ ଭାବେ ଅବତରଣ କଲା ହାଇଜାକ୍ ହୋଇଥିବା ବିମାନ, ପାଇଲଟ ଗିରଫ

ୱାଶିଂଟନ,୪ ।୯: ଆମେରିକାର ମିସିସିପି ରାଜ୍ୟରେ ଜଣେ ପାଇଲଟ ଏକ ବିମାନକୁ ଜାଣିଶୁଣି ଦୁର୍ଘଟଣା ଘଟାଇବାକୁ ଧମକ ଦେବା ପରେ ସମସ୍ତେ ଅସ୍ତବ୍ୟସ୍ତ ହୋଇଯାଇଥିଲେ । କିଛି ଘଣ୍ଟା ପରେ ଗଭର୍ନର ଟେଟେ ରିଭସ୍ ଏକ ଆଶ୍ୱସ୍ତିକର ଖବର ଦେଇ କହିଛନ୍ତି, ହାଇଜାକ୍ ହୋଇଥିବା ବିମାନଟିକୁ ଆଇସଲ୍ୟାଣ୍ଡର ଦକ୍ଷିଣ-ପଶ୍ଚିମରେ ଏକ ପଡିଆରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଯାଇଛି ଓ ବିମାନଟି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି । ସୂଚନାଯୋଗ୍ୟ, ୯ ସିଟର ବିଶିଷ୍ଟ ବିମାନଟିକୁ ପାଇଲଟ ହାଇଜ୍ୟାକ କରିଥିଲେ । ବିମାନଟିକୁ ପାଇଲଟ ଦୁପେଲୋ ବିମାନ ବନ୍ଦରରୁ ଉଡାଇ ଆରମ୍ଭ କରିଥିଲେ । ଏହାପରେ କିଛି ଘଣ୍ଟାଧରି ପାଇଲଟ ବିମାନଟିକୁ ସହର ଉପରେ ନଚାଇଥିଲେ ।
ପାଇଲଟ ବିମାନକୁ ମିସିସିପିର ଦୁଲେପୋରେ ଏକ ସ୍ଥାନୀୟ ୱାଲମାର୍ଟରେ ଜାଣିଶୁଣି ଦୁର୍ଘଟଣା କରିବାର ଧମକ ଦେଇଥିଲେ । ପାଇଲଟଙ୍କ ଧମକ ଜାଣିବା ପରେ ପ୍ରଶାସନ ଲୋକଙ୍କୁ ଆଲର୍ଟ କରି ଦେଇଥିଲା । ଆସନ୍ନ ବିପଦକୁ ଦେଖି ପୋଲିସ ୱାଲ ମାର୍ଟର ଷ୍ଟୋରକୁ ଖାଲି କରିଦେଇଥିଲା । ଏହି ଘଟଣା ଭୋର ୫ଟାରେ ହୋଇଥିଲା ।
ପାଇଲଟଙ୍କ ଏହି ଧମକ ପରେ ପୋଲିସ ଓ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଧିକାରୀମାନଙ୍କ ବହୁ ଚେଷ୍ଟାପରେ ପାଇଲଟ ବିମାନଟିକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇଥିଲେ । ଏହାପରେ ପୋଲିସ ତୁରନ୍ତ ପାଇଲଟଙ୍କୁ ଗିରଫ କରି ନେଇଥିଲା ।

Share