ମିସୋରି ହାଉସ୍‌ ସଦସ୍ୟଙ୍କୁ ବହିଷ୍କାର ପ୍ରସ୍ତାବ

ଜେଫେରସନ ସିଟି, ୨୧ା୪: ନିଜ ୨ ଝିଅଙ୍କୁ ଯୌନ ଶୋଷଣ ସହ ଶାରୀରିକ ନିର୍ଯାତନା ଦେବା ମାମଲାରେ ମିସୋରି ହାଉସ୍‌ ସଦସ୍ୟ ରିପବ୍ଲିକାନ ରିକ୍‌ ରୋବରଙ୍କୁ ଗୃହରୁ ବହିଷ୍କାର କରାଯିବାକୁ ମିସୋରି ହାଉସ୍‌ ଏଥିକ୍ସ କମିଟି ସୋମବାର ପ୍ରସ୍ତାବ ଆଗତ କରିଛି। ଚଳିତ ସପ୍ତାହରେ ଏହି ପ୍ରସ୍ତାବ ଉପରେ ଗୃହରେ ଭୋଟ ଗ୍ରହଣ କରାଯିବ। ରୋବରଙ୍କୁ ବହିଷ୍କାର ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ରହିଛି। ୧୯୯୦ ଦଶକରେ ତାଙ୍କ ଦୁଇ ଝିଅ ୫ ଓ ୯ ବର୍ଷର ହୋଇଥିବାବେଳେ ସେମାନଙ୍କୁ ରୋବର ଯୌନ ନିର୍ଯାତନା ଦେଇଆସୁଥିଲେ। ଏଥିସହ ସେମାନଙ୍କୁ ବେଲ୍ଟରେ ନିଷ୍ଠୁର ଭାବେ ପିଟୁଥିଲେ। ଏ ନେଇ ପୂର୍ବରୁ ଏକାଧିକ ଅଭିଯୋଗ ରହିଥିଲେ ହେଁ ପ୍ରସିକ୍ୟୁଟରଙ୍କ ପକ୍ଷରୁ କୌଣସି ମାମଲା ରୁଜୁ ହୋଇ ନ ଥିବା ଉକ୍ତ କମିଟି ପ୍ରକାଶ କରିଛି। ଏବେ ରୋବରଙ୍କ ଝିଅମାନେ ସାବାଳିକା ହୋଇ ସାରିଥିବାବେଳେ ଗତ ସେପ୍ଟେମ୍ବରରେ ଘଟଣା ଉପରେ ଖୋଲାଖୋଲି ଅଭିଯୋଗ ଆଣିଥିଲେ। ଚଳିତ ବର୍ଷ ତଦନ୍ତକାରୀଙ୍କୁ ସେମାନେ ଏ ବାବଦରେ ସାକ୍ଷ୍ୟପ୍ରମାଣ ଦେଇଛନ୍ତି, ଯାହାକୁ ଏଥିକ୍ସ କମିଟି ଗ୍ରହଣ କରିଛି।

Share